୯୬୪ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

୯୬୪ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯାଇ ୯୬୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଉରକେଲା ସହର ବିର୍ସା ଛକଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥ‌ଲେଟିକ ଷ୍ଟାଡିୟମ୍‌ ସମେତ ବିର୍ସା ମୁଣ୍ଡା ସୁଇମିଂ କମ୍ପ୍ଳେକ୍ସ ଓ ବହୁତଳ କାର ପାର୍କିଂ ସୁବିଧାର ଲୋକାର୍ପଣ କରିଛନ୍ତି ମଖ୍ୟମନ୍ତ୍ରୀ।
୧୫୭. ୨୧ କୋଟି ଟଙ୍କା ମୂଲ୍ୟରେ ୧୦ ଏକର ଜମିରେ ଏହି ଷ୍ଟାଡିୟମ୍‌ ନିର୍ମାଣ କରାଯାଇଛି। ଯେଉଁଥିରେ ପ୍ରାୟ ୧୦ ହଜାର ଦର୍ଶକ ଏକ କାଳୀନ ବସି ଖେଳ ଉପଭୋଗ କରିପାରିବାର ବ୍ୟବସ୍ଥା ରହିଛି। ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା ଘାଟ, ପରିମଳ, କୃଷି ଓ ପର୍ୟ୍ୟଟନ ଇତ୍ୟାଦିର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଉଦ‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ ଗୁଡିକ ହେଲା ୫୩.୫୩ କୋଟି ଟଙ୍କାର ପାନପୋଷଠାରେ ବଜାର ଗୃହ ନିର୍ମାଣ, ୧୧.୭୭ କୋଟି ଟଙ୍କାର ଆସ୍ଥା ଗୃହ(ମାନସିକ ରୋଗରେ ପୀଡିତ ମହିଳାଙ୍କ ପାଇଁ), ୨୩୨ କୋଟି ଟଙ୍କାର ୫ଟି ଉଚ୍ଚ କ୍ଷମତା ସମ୍ପନ୍ନ ଉଠା ଜଳ ସେଚନ ପ୍ରକଳ୍ପ, ଟାଙ୍ଗରପାଲ୍ଲୀ ବ୍ଳକ୍‌ର ଉଜ୍ଜଳପୁରଠାରେ ୨.୫୫ କୋଟି ଟଙ୍କା ମୂଲ୍ୟର ମାର୍କେଟ ୟାର୍ଡ ଓ ଗୋଦାମ ଗୃହ, ୩୩.୯୦ କୋଟି ଟଙ୍କାର ୧୪ ଗୋଟି ଅନୁସୂଚିତ ଜାତି ଓ ଜନଜାତି/ପଛୁଆ ବର୍ଗଙ୍କ ନିମନ୍ତେ ଛାତ୍ରାବାସ, ୨୩୭.୨୦ କୋଟି ଟଙ୍କାର ୬୬ ଗୋଟି ରାସ୍ତା ପ୍ରକଳ୍ପ, ୧୧.୫୦ କୋଟି ଟଙ୍କାର ୨୭୩ଟି ପଞ୍ଚାୟତସ୍ତରୀୟ ବର୍ଜ୍ୟବସ୍ତୁ ପୃଥକୀକରଣ ଓ ଗୋଟିଏ କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ରହିଛି।

ସେହିପରି ସରଫଗଡ଼ଠାରେ ୭୫ ଲକ୍ଷ ଟଙ୍କାର ପ୍ରାକୃତିକ ପର୍ୟ୍ୟଟନସ୍ଥଳୀର ଉନ୍ନତିକରଣ, ୬.୪୭ କୋଟି ଟଙ୍କାରେ ନିର୍ମିତ ୨୩ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର, ୬୩.୨୯ କୋଟି ଟଙ୍କାରେ ନିର୍ମିତ ୪୭ ଗୋଟି ଗୋଷ୍ଠୀ ସଭା ଗୃହ, ୨୫.୩୭ କୋଟି ଟଙ୍କାରେ ନିର୍ମିତ ୮୫ ଗୋଟି ବିଦ୍ୟାଳୟ ଗୃହ, ୧.୩୪ କୋଟି ଟଙ୍କାରେ ନିର୍ମିତ ୩ଟି ଗୋଷ୍ଠୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏଥିସହିତ ୬୬.୯୩ କୋଟି ଟଙ୍କାର ବ୍ୟାୟରେ ନିର୍ମିତ ହେବାକୁ ଥିବା ୨୩ ଗୋଟି ରାସ୍ତା, କଲଭର୍ଟ ଏବଂ ଗୃହ ନିର୍ମାଣ କାର୍ୟ୍ୟ, ୮.୭୯ କୋଟି ଟଙ୍କାରେ ହେବାକୁ ଥିବା ୨୯ ଗୋଟି ଗୋଷ୍ଠୀ ସଭା ଗୃହ, ୩୫.୨୬ କୋଟି ଟଙ୍କା ମୂଲ୍ୟରେ ହେବାକୁ ଥିବା ୭୩ଟି ପ୍ରକଳ୍ପ, ୧୬.୧୦ କୋଟି ଟଙ୍କାରେ ଲାଇଙ୍ଗ‌ ଠାରେ ହେବାକୁ ଥିବା ପ୍ରକୃତି ପର୍ୟ୍ୟଟନସ୍ଥଳର ଉନ୍ନତିକରଣ କାର୍ୟ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।