୫ ରୁ ସମସ୍ତଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ

୫ ରୁ ସମସ୍ତଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ

୫ ରୁ ସମସ୍ତଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ
ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚଳିତ ବର୍ଷ ରାଜଭବନ ଉଦ୍ୟାନ ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । ଜାନୁଆରି ୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରବିବାର ଓ ଛୁଟିଦିନ ସହିତ ପ୍ରତ୍ୟେକ ଅପରାହ୍ନ ୨.୩୦ ରୁ ୫ଟା ମଧ୍ୟରେ ସମସ୍ତେ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁରୋଧ ଆଧାରରେ ଛାତ୍ରଛାତ୍ରୀମାନେ ଜାନୁଆରୀ ୬ ତାରିଖରୁ ଜାନୁଆରି ୨୧ ତାରିଖ ପର୍ଯ୍ୟନ୍ତ ରବିବାର ବ୍ୟତୀତ ପ୍ରତ୍ୟହ ସକାଳ ୮.୩୦ ରୁ ୧୦ ଟା ମଧ୍ୟରେ ଉଦ୍ୟାନ ବୁଲି ଦେଖିପାରିବେ । ଏଥିନିମନ୍ତେ ବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟପାଳଙ୍କ ଏଡିସି କିମ୍ବା ରାଜଭବନ ନିରାପତ୍ତା ଦାୟିତ୍ୱରେ ଥିବା ଏସିପିଙ୍କୁ ଅନୁରୋଧ ପତ୍ର ପ୍ରେରଣ କରିବାକୁ କୁହାଯାଇଛି । ଅନ୍ୟପକ୍ଷରେ ସହଜରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ କର୍ତ୍ତୃପକ୍ଷ ‘ରାଜଭବନ ଓଡ଼ିଶା’ ନାମରେ ଏକ ମୋବାଇଲ ଆପ ପ୍ରସ୍ତୁତ କରିଛନ୍ତି । ଏହା ଗୁଗ୍ଲ ପ୍ଲେ ଷ୍ଟୋରରେ ଆଣ୍ଡ୍ରଏଡ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ । ଏହି ମୋବାଇଲ ଆପ୍ ବ୍ୟବହାର କରି ଆଣ୍ଡ୍ରଏଡ ଫୋନ ବ୍ୟବହାରକାରୀମାନେ କ୍ୟୁଆର କୋଡ ପ୍ରବେଶ ପତ୍ର ସେମାନଙ୍କ ସ୍ମାର୍ଟଫୋନରେ ପ୍ରସ୍ତୁତ କରିପାରିବେ ଯାହା ରାଜଭବନ ମୁଖ୍ୟ ଫାଟକରେ ସ୍କାନିଂ ଦ୍ୱାରା ଗ୍ରହଣୀୟ ହେବ । ତଥାପି ରାଜଭବନ ଅଭ୍ୟର୍ଥନା ପ୍ରକୋଷ୍ଠ ନିକଟରେ ରେଜିଷ୍ଟାର ମାଧ୍ୟମରେ ହାତ ଦ୍ୱାରା ପ୍ରସ୍ତୁତ ପ୍ରବେଶ ପତ୍ର ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ ରହିବ । ରାଜଭବନ ମଧ୍ୟକୁ ଟିଫିନ ବାକ୍ସ ଖାଦ୍ୟ ପୁଡ଼ିଆ, ପାଣିବୋତଲ ଏବଂ କ୍ୟାମେରା ନ ଆଣିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଉଲ୍ଲେଖଯୋଗ୍ୟ, ରାଜଭବନର ସବୁଜ ଲନ୍, ହରିଣ ଉଦ୍ୟାନ, ସଂଗୀତମୟ ଝରଣା, ଖୋଲା ଆକ୍ୱାରିୟମ ଏବଂ ପକ୍ଷୀ ଏନକ୍ଲୋଜର ସର୍ବସାଧାରଣଙ୍କ ପାଇଁ ଆକର୍ଷଣର କେନ୍ଦ୍ର ଭାବେ ସମସ୍ତଙ୍କ ଆକର୍ଷିତ କରିଥାଏ ।