୨୨ ତାରିଖଠାରୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ

୨୨ ତାରିଖଠାରୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ

୨୨ ତାରିଖଠାରୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ

 

ଭୁବନେଶ୍ୱର: ଅକ୍ଟୋବର ମାସ ଆସିଲେ ଓଡ଼ିଶାବସୀଙ୍କ ମନରେ ଛନକା ପଶେ। କାରଣ ବର୍ଷର ମୁଖ୍ୟତଃ ଏହି ମାସରେ ରାଜ୍ୟକୁ ବାତ୍ୟା ଆଶଙ୍କା ଥାଏ। ପୂର୍ବରୁ ମହାବାତ୍ୟା ସମେତ ଆହୁରି ବହୁ ବାତ୍ୟା ଅକ୍ଟୋବରରେ ଆସି ରାଜ୍ୟର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ପୁଣି ଥରେ ଘନେଇଛି ବାତ୍ୟା ସମ୍ଭାବନା ।  ସମ୍ଭାବ୍ୟ ବାତ୍ୟା ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ୨୨ ତାରିଖଠାରୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଉକ୍ତ ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ରାଜ୍ୟ ସରକାର। ଉପକୂଳବର୍ତ୍ତୀ ସାତ ଜିଲ୍ଲାଗୁଡିକୁ ସତର୍କ ଜାରି କଲେ ସରକାର । ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଜରୁରି ପରିସ୍ଥିତି ଯୋଗୁ ଆସନ୍ତା ୨୩ ରୁ ୨୫ ତାରିଖ ପର୍ୟ୍ୟନ୍ତ କର୍ମଚାରୀମାଙ୍କୁ ହେଡ୍‌ କ୍ୱାର୍ଟର୍ସ ଛାଡ଼ି ନଯିବା ପାଇଁ ସବୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେବଳେ ସେତିକି ନୁହେଁ, ପୂର୍ବରୁ ଛୁଟି ନେଇଥିବା ସରକାରୀ କର୍ମଚାରୀମାନଙ୍କର ମଧ୍ୟ ସମସ୍ତ ଛୁଟି ବାତିଲ କରାଯାଇଛି। ତା ସହିତ ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି ସେମାନେ ତୁରନ୍ତ କାର୍ୟ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାନୁଯାୟୀ, ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ। ୨୨ ତାରିଖ ବେଳକୁ ଲଘୁଚାପ ଅବପାତରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ତେବେ ବାତ୍ୟା କେବେ ଓ କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

ଅପରପକ୍ଷରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ମଙ୍ଗଳବାର ଅପରାହ୍ନରେ ବସିବ ଉଚ୍ଚ ସ୍ତରୀୟ ବୈଠକ। ଅପରାହ୍ନ ୪ଟାରେ ସ୍ଵତନ୍ତ୍ର ରିଲିଫ୍ କମିଶନର ବୈଠକ ଡାକିଛନ୍ତି। ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ।