୧୩ ରେ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡ଼ିବ ଟ୍ରେନ
୧୩ ରେ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡ଼ିବ ଟ୍ରେନ
admin
May 12, 2020 - 06:29
Updated: May 12, 2020 - 06:29
ମଙ୍ଗଳବାର ଠାରୁ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ଟ୍ରେନ ଦେଶର ବିଭିନ୍ନ ସହରକୁ ଚଳାଚଳ ଆରମ୍ଭ କରିବ । ମେ’ ୧୪ ସଂଧ୍ୟା ୫ଟା ୫ରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଟ୍ରେନ ଛାଡ଼ିବ । ଅପରପକ୍ଷରେ ମେ’୧୩ ତାରିଖ ତଥା ବୁଧବାର ସକାଳ ୧୦ଟାରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ (୦୨୮୨୩) ନୂଆଦିଲ୍ଲୀ ଅଭିମୁଖେ ଚାଲିବ । ଏହି ସ୍ୱତନ୍ତ୍ର ଟ୍ରେନ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଏଥିରେ ଏସି ତୃତୀୟ ଶ୍ରେଣୀ / ଦ୍ୱିତୀୟ ଶ୍ରେଣୀ / ପ୍ରଥମ ଶ୍ରେଣୀ ସହ ମୋଟ ୧୭ଟି କୋଚ ରହିବ । ଭୁବନେଶ୍ୱର-ନୂଆଦିଲ୍ଲୀ ଯିବା ବେଳେ ଏହି ଟ୍ରେନ ବାଲେଶ୍ୱର, ହିଜିଲି (ଖଡଗପୁର), ଟାଟା, ବୋକାରୋ ଷ୍ଟିଲ ସିଟି, ଗୟା, ଦିନଦୟାଲ ଉପାଧ୍ୟାୟ ଜଙ୍କସନ ଓ କାନପୁର ସେଣ୍ଟ୍ରାଲରେ ରହଣି (ଷ୍ଟପେଜ) କରିବ । ସେହିପରି ନୂଆଦିଲ୍ଲୀରୁ ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୨୮୨୪) ମେ’ ୧୪ ରୁ ଚଳାଚଳ କରିବ ଏବଂ ଉପରୋକ୍ତ ଷ୍ଟେସନରେ ରହଣି କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ଛାଡ଼ିବାକୁ ଥିବା ଏହି ଟ୍ରେନର ସମସ୍ତ ଟିକେଟ ଏକ ଘଣ୍ଟାରୁ କମ ସମୟ ମଧ୍ୟରେ ବିକି୍ର ହୋଇଯାଇଛି । ତେବେ ତୃତୀୟ ଶ୍ରେଣୀ ଏସିର ୩ଟି ଟିକେଟ ବାତିଲ ହୋଇଛି । ନୂଆଦିଲ୍ଲୀରୁ ଭୁବନେଶ୍ୱରକୁ ଆସିବାକୁ ଥିବା ଟ୍ରେନ ବୁକିଂ ପ୍ରାୟତଃ ଶେଷ ହୋଇଛି । ତୃତୀୟ ଶ୍ରେଣୀ ଏସିରେ ୪୭ଟି ବର୍ଥ ଓ ଦ୍ୱିତୀୟ ଶ୍ରେଣୀ ଏସି ବର୍ଥକୁ ଛାଡ଼ି ଆଉ ସବୁ ବୁକିଂ ହୋଇସାରିଛି ।