ୟୂଟର୍ଣ୍ଣ ନେଲା ‘ହୁ’

ୟୂଟର୍ଣ୍ଣ ନେଲା ‘ହୁ’

ୟୂଟର୍ଣ୍ଣ ନେଲା ‘ହୁ’
ଜେନେଭା: ଚୀନର ହୁବେଇ ପ୍ରଦେଶ ଅନ୍ତର୍ଗତ ଓହାନ ସହରରେ ଯେତେବେଳେ ଗତବର୍ଷ ଡିସେମ୍ବରରେ ପ୍ରଥମେ କରୋନା ଭାଇରସ ସଂକ୍ରମଣ ବ୍ୟାପିବା ଆରମ୍ଭ କଲା ସେତେବେଳେ ଚୀନ ସୂଚନା ଦେଇଥିଲା ବୋଲି ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କହିଥିଲା । ମାତ୍ର ଏବେ ୟୁ-ଟର୍ଣ୍ଣ ନେଇଛି । କହିଛି କି ଚୀନ ନୁହେଁ, ଚୀନରେ ଥିବା ନିଜସ୍ୱ ଶାଖା କାର୍ଯ୍ୟାଳୟଠାରୁ ପ୍ରଥମେ ଏହି ସୂଚନା ମିଳିଥିଲା । ଡବ୍ଲୁଏଚଓର ଏଭଳି ଆଭିମୁଖ୍ୟ ଉପରେ ଏବେ ପ୍ରଶ୍ନ ଉଠିଛି । ସେହିଭଳି ବିଶ୍ୱରେ କରୋନା ସଂକ୍ରମଣ ରୋକିବା ଓ ସୂଚନା ପ୍ରଦାନ କରିବାରେ ଡବ୍ଲୁଏଚଓ ବିଫଳ ହେବା ସହ ଚୀନ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରୁଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ଅଭିଯୋଗ କରିଥିଲେ ତାକୁ ସଂଗଠନ ଖଣ୍ଡନ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିଦେ୍ର୍ଧଶ ଟେଡ୍ରୋସ ଏଡହନୋମ ଗେବି୍ରୟେସସ୍ କହିଛନ୍ତି ଯେ ଗତ ବର୍ଷ ଡିସେମ୍ବର ୩୧ରେ ଓହାନ ପୌର ପରିଷଦର ସ୍ୱାସ୍ଥ୍ୟ କମିଶନ ନିମୋନିଆ ବ୍ୟାପିଥିବା ନେଇ ଘୋଷଣା କରିଥିଲେ । ସ୍ୱାସ୍ଥ୍ୟ କମିଶନ ୱେବସାଇଟରେ ଏହି ତଥ୍ୟ ପ୍ରକାଶ ପାଇଥିଲା । ସେତେବେଳେ ତାକୁ ଭାଇରାଲ ନିମୋନିଆ ବୋଲି କୁହାଯାଉଥିଲା । ସେହିଦିନ ଆମେରିକାର ଅର୍ନ୍ତଜାତୀୟ ମହାମାରୀ ଯାଞ୍ଚ ସଂସ୍ଥା ଓହାନ ନିମୋନିଆ ବ୍ୟାପିବା ଜଣାଇ୍ଥିଲା । ଡବ୍ଲୁଏଚଓ ପକ୍ଷରୁ ଏ ବିଷୟରେ ଜାନୁଆରୀ ୧ ଓ ୨ ରେ ଚୀନ କର୍ତ୍ତୃପକ୍ଷଙ୍କ ଠାରୁ ତଥ୍ୟ ମଗାଯାଇଥିଲା । ଜାନୁଆରୀ ୩ରେ ଚୀନ କର୍ତ୍ତୃପକ୍ଷ ନିମୋନିଆ ବ୍ୟାପିବା ନେଇ ସୂଚନା ଦେଇଥିଲେ । କିନ୍ତୁ ପୂର୍ବରୁ ଡବ୍ଲୁଏଚଓ କହିଥିଲା କି ଜାନୁଆରୀ ୩ରେ ଚୀନ କୌଣସି ତଥ୍ୟ ଦେଇନଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଭଳି ବୟାନ ବଦଳାଇବା ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପୂର୍ବରୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଅଭିଯୋଗ ଆଣିଥିଲେ କି ସଂଗଠନ ନିରପେକ୍ଷ ଭାବେ କାର୍ଯ୍ୟକରିବାରେ ବିଫଳ ହୋଇଛି । ବର୍ତ୍ତମାନ ସଂଗଠନର ୟୁ-ଟର୍ଣ୍ଣ ସେମାନଙ୍କ ଅଭିଯୋଗକୁ ସ୍ପଷ୍ଟ କରିଥିବା କୁହାଯାଉଛି ।