ୟୁକ୍ରେନ୍ ଉପରେ ରୁଷର ରକେଟ୍ ମାଡ, ୩୦ ମୃତ
ୟୁକ୍ରେନ୍ ଉପରେ ରୁଷର ରକେଟ୍ ମାଡ, ୩୦ ମୃତ
ମସ୍କୋ: ୟୁକ୍ରେନ ଉପରେ ପୁଣି ଆକ୍ରମଣ ଜୋରଦାର କରିଛି ରୁଷ। ରୁଷର ରକେଟ୍, ଡ୍ରୋନ୍ ଓ ମିଜାଇଲ୍ ଆକ୍ରମଣରେ ୟୁକ୍ରେନରେ ୩୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଅନେକ ସାଧାରଣ ନାଗରିକଙ୍କ ସମେତ ଦୁଇଜଣ ଶିଶୁ ଅଛନ୍ତି। ସେପଟେ ଏହି ଆକ୍ରମଣରେ ୮୦ରୁ ଅଧିକ ଆହତ ହୋଇଛନ୍ତି।
ୟୁକ୍ରେନର ଜାପୋରିଝ୍ଝିଆ ଅଂଚଳରେ ସାଧାରଣ ଲୋକଙ୍କ କାରକୁ ଟାର୍ଗେଟ୍ କରି ରୁଷ ଏହି ଆକ୍ରମଣ କରିଛି। ଏଥିରେ ଅନେକ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି।
ଗତକାଲି ୟୁକ୍ରେନର ୪ଟି ଅଞ୍ଚଳ ଦୋନେତସ୍କ, ଲୁହାନ୍ସ୍କ, ଖେର୍ସୋନ୍ ଏବଂ ଜାପୋରିଝ୍ଝିଆ ଉପରେ ବିଜୟ ହାସଲ କରିଥିବା କଥା ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ଏହି ୪ ଅଞ୍ଚଳର ୟୁକ୍ରେନର ୧୫ ପ୍ରତିଶତ ଥିବା ବେଳେ ଚିର ଦିନ ଲାଗି ଏହା ରୁଷ ଅଂଶ ହୋଇ ରହିବ ବୋଲି ପୁଟିନ୍ କହିଥିଲେ।
ତେବେ ପୁଟିନ୍ଙ୍କ ଏହି ପଦକ୍ଷେପକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଟିନ୍ ଯୁଦ୍ଧ ଚାହାନ୍ତି, ଜୀବନ ନୁହେଁ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭଲଡୋମିର ଜେଲେନସ୍କି। ପୁଟିନଙ୍କ ପଦକ୍ଷେପ ବେଆଇନ୍ ଏବଂ ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ ବୋଲି କହିବା ସହ ଏହାକୁ ନିନ୍ଦା କରିଛି ଜାତିସଂଘ। ସାଂଘାତିକ ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଅ ଗୁଟେରସ୍।
ଅନ୍ୟପକ୍ଷରେ ଆମେରିକା ପୁଟିନଙ୍କ ଦାବିକୁ କେବେ ବି ଗ୍ରହଣ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍। ୟୁରୋପୀୟ ସଂଘ ମଧ୍ୟ ଏ ପ୍ରସଙ୍ଗରେ ମନ୍ତବ୍ୟ ରଖି ରୁଷ ଦଖଲ କରି ନେଇଥିବା ସମସ୍ତ ଅଞ୍ଚଳ ୟୁକ୍ରେନର ହୋଇ ରହିବ ବୋଲି କହିଛି। ଏହି ଅବସରରରେ ନାଟୋର ସହାୟତା ଲୋଡ଼ିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଏପଟେ ତୁରନ୍ତ ଯୁଦ୍ଧ ବନ୍ଦ ସହ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ପ୍ରସ୍ତାବ ରଖିଛି।




admin 