ହଠାତ୍ ଭୟଙ୍କର ବିସ୍ଫୋରଣ, ୮ ମୃତ
ହଠାତ୍ ଭୟଙ୍କର ବିସ୍ଫୋରଣ, ୮ ମୃତ

କାବୁଲ: ଗତକାଲି ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମସଜିଦ ନିକଟସ୍ଥ ଜନଗହଳିପୂର୍ଣ୍ଣ ସ୍ଥାନରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏକ କାର୍ରେ ଥିବା ବୋମା ବିସ୍ଫୋରଣ ହେବାରୁ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଗୁରୁତର ହୋଇଛନ୍ତି। ତାଲିବାନର ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିବା ବେଳେ ଏଥିନିମନ୍ତେ ଆଇଏସ୍ ନିଜକୁ ଦାୟୀ କରିଛି ।
କାବୁଲର ପୁଲିସ ମୁଖ୍ୟଙ୍କ ମୁଖପାତ୍ର ଖାଲିଦ ଜାଦରାନଙ୍କ ସୂଚନା ଅନୁଯାୟୀ, ପଶ୍ଚିମ କାବୁଲର ଶିଆ ଅଞ୍ଚଳରେ ଥିବା ସର-ଏ-କରେଜର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ପ୍ରାରମ୍ଭିକ ରିପୋର୍ଟରେ ଦୁଇ ଜଣଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଥିଲା, କିନ୍ତୁ କିଛି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଲା। ଗୁରୁତର ୧୮ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି।
ଏହି ବୋମା ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ କରିଛି। ସରକାରୀ ସୂତ୍ର ଅନୁଯାୟୀ, ମୃତ୍ୟୁ ସଂଖ୍ୟା ୮ ବୋଲି କୁହାଯାଇଥିବା ବେଳେ ଏହି ବିସ୍ଫୋରଣରେ କିନ୍ତୁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଇଏସ୍ ତରଫରୁ କୁହାଯାଇଛି।