ସ୍ବପ୍ନ ଥିଲା ଶିକ୍ଷକତା, ଏବେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ

ସ୍ବପ୍ନ ଥିଲା ଶିକ୍ଷକତା, ଏବେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ

ସ୍ବପ୍ନ ଥିଲା ଶିକ୍ଷକତା, ଏବେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ

ଭବାନୀପାଟଣା: ଇଚ୍ଛା ମୃତ୍ୟୁ ପାଇଁ ସୁପି୍ରମକୋର୍ଟଙ୍କଠାରେ ଆବେଦନ କରିଛନ୍ତି ଭବାନୀପାଟଣା ସଦର ବ୍ଲକ ମାଦିଗୁଡ଼ା ପଞ୍ଚାୟତ ଚିକିଲି ଗାଁର ଅନୀଲ କପୁର ଶିଖା। ସୂଚନା ଅନୁସାରେ ଅନୀଲଙ୍କ ସ୍ୱପ୍ନ ଥିଲା ଶିକ୍ଷକତା କରି ପରିବାର ପ୍ରତିପୋଷଣ କରିବା । ଏଥିପାଇଁ ସେ ଭବାନୀପାଟଣା ଡିଆଇଇଟିରେ ନାମ ଲେଖାଇଥିଲେ । ପ୍ରତିଦିନ ସେ କୋଚିଂ ପାଇଁ ଭବାନୀପାଟଣା ଯାଉଥିଲେ । ୨୦୧୫ ଡିସେମ୍ବର ୧୦ରେ ଭବାନୀପାଟଣାରୁ କୋଚିଂ ସାରି ଫେରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡରେ ଗଭୀର ଆଘାତ ହେବାରୁ ସେ ଶଯ୍ୟାଶାୟୀ ହୋଇପଡ଼ିଥିଲେ । ପରିବାର ଲୋକେ ଆର୍ଥିକ ଅନାଟନ ମଧ୍ୟରେ ବି ସୁନାଗହଣା, ଜମିବିକି୍ର କରି ଅନୀଲଙ୍କୁ ବୁର୍ଲାଠାରୁ ଆରମ୍ଭ କରି କଟକ ବଡ଼ ମେଡିକାଲ ପର୍ୟ୍ୟନ୍ତ ନେଇଥିଲେ । ମାତ୍ର କିଛି ସୁଫଳ ମିଳିଲାନି । ପରେ ଫିଜିଓଥେରାପିରେ ତାଙ୍କ ଅସ୍ତ୍ରୋପଚାର କରାଗଲା । ମାତ୍ର କୌଣସି ସୁଫଳ ହେଲା ନାହିଁ । ବରଂ ଦିନକୁ ଦିନ ଔଷଧ ଖର୍ଚ୍ଚ କରି ଆର୍ଥିକ ସଂକଟରେ ଗତି କରିବା ପରେ ଘରକୁ ଫେରିଥିଲେ । ସେହିଦିନଠାରୁ ତାଙ୍କ ବାପା ଯଦୁବନ (୬୦) ଓ ମାଆ କୌଶଲ୍ୟା (୫୬) ପୁଅର ଚିକିତ୍ସା ପାଇଁ ଅନେକ ପ୍ରୟାସ କରିଛନ୍ତି । କଳାହାଣ୍ଡି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ଜିଲ୍ଲା ପ୍ରଶାସନ ନିକଟକୁ ଯାଇ ଅନେକ ଗୁହାରି କରିଛନ୍ତି । ମାତ୍ର ସେମାନଙ୍କୁ  ନିରାଶ ହେବାକୁ ପଡ଼ିଥିବା ପ୍ରକାଶ କରିଛନ୍ତି । ମାଆ ବାପାଙ୍କୁ ବୁଝାସୁଝା କରି ଅନୀଲ ଶେଷରେ ଆପଣେଇଛନ୍ତି ଇଚ୍ଛାମୃତୁ୍ୟର ରାସ୍ତା । ଏଥିପାଇଁ ସେ ସୁପି୍ରମକୋର୍ଟ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟସରକାର ଓ ହାଇକୋର୍ଟଙ୍କୁ ଆବେଦନ କରିଥିବା ଅନୀଲ କହିଛନ୍ତି ।