ସୁରଙ୍କୁ କଥା ଦେଲେ ଅନୁଭବ- କେବେ ବି...
ସୁରଙ୍କୁ କଥା ଦେଲେ ଅନୁଭବ- କେବେ ବି...
ଭୁବନେଶ୍ୱର: ଲୋକପ୍ରିୟ ଅଭିନେତା, ଓଲିଉଡ୍ ସୁପରଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କୋର୍ଟରେ କେସ୍ ବିଚାରଧୀନ ଥିବାବେଳେ ଅନୁଭବ ମହାନ୍ତି ନିକଟରେ ଏକ ଭିଡିଓ ଜାରି କରି ନିଜ ମନର ବ୍ୟଥା ଓ ବେଦନା ପରିପ୍ରକାଶ କରିଥିଲେ । ସେ ଭିଡିଓରେ ମୃତ୍ୟୁ ହିଁ ଶେଷ ରାସ୍ତା ବୋଲି କହିଥିଲେ ।
ତେବେ ଏହି କଥାକୁ ନେଇ ଜଟଣୀ ବିଧାୟକ ସୁର ରାଉତରାୟ ନିଜ ପ୍ରତିକ୍ରିୟାରେ ଅନୁଭବଙ୍କୁ ତାଗିଦ୍ କରି କହିଥିଲେ ଯେ, କ’ଣ ତୋର ହୋଇଛି କି , ତୁ ମରିଯିବୁ ବୋଲି କହୁଛୁ । ଏଡେ ବଡ ଟୋକା, ଆମ ହିରୋ, ଓଡିଶାର ଗୋଟେ ଗର୍ବ, ତୁ ପୁଣି କହୁଛୁ ଗୋଟେ ନାରୀ ପାଇଁ ଆତ୍ମହତ୍ୟା କରିବି, ହା ଥୁ....ଛି...ଲଜ୍ୟା ବୋଲି କହିଥିଲେ । ଏବଂ ଯାହା ଘଟୁଛି ତାକୁ ସାମ୍ନା କରିବାକୁ କହିଥିଲେ । ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ ଯେ, ଯିଏ ମରିବା କଥା କୁହେ, ସେ ହେଉଛି କାପୁରୁଷ । ଯଦି ସେ (ବର୍ଷା) ନହେଉଛି ଆଉ ଗୋଟେ ଦେଖିବା ପାଇଁ ମଧ୍ୟ କହିଥିଲେ ।
ଏହି କଥା ଅନୁଭବଙ୍କୁ ଏତେ ବାଧିଛି ଯେ, ସେ ଜାରି କରିଥିବା ଦ୍ୱିତୀୟ ଭିଡିଓର ଶେଷରେ ସୁୂର ରାଉତରାୟଙ୍କ କଥା କହିଛନ୍ତି । ସେ କହିଛନ୍ତି ମୋ ବଡଭାଇ ସୁରଭାଇଙ୍କୁ ମୁଁ ଓ ଆମ ଘରେ ସମସ୍ତେ ଭାରି ଭଲପାଆନ୍ତି । ସେ ଜଣେ ଖୋଲା ହୃଦୟର ଲୋକ । ତାଙ୍କ ଆଶୀର୍ବାଦ ମୋ ମୁଣ୍ଡ ଉପରେ ସେମିତି ଥାଉ ।
ଏହାସହିତ ଅନୁଭବ ଆହୁରି ମଧ୍ୟ କହିଥିଲେ ଯେ, ମୁଁ ଆପଣଙ୍କୁ କଥା ଦେଉଛି କେବେବି ଆତ୍ମହତ୍ୟା କରିବି ନାହିଁ । ଜୀବନ ଥିବା ପର୍ଯ୍ୟନ୍ତ ଲଢିବି । ସୁଯୋଗ ମିଳିଲେ ଆପଣଙ୍କ ସହ ଦେଖା କରିବି । ଶେଷରେ ଅନୁଭବ ସୁର ରାଉତରାୟଙ୍କୁ କହିଛନ୍ତି, ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ । ମହାପ୍ରଭୁ ଜଗନ୍ନାଥ ଓ ବାବା ଲିଙ୍ଗରାଜଙ୍କ କୃପାରୁ ଆପଣ ସୁସ୍ଥ ରୁହନ୍ତୁ ବୋଲି କହିଥିଲେ ।




admin 