ସିଭିଲସର୍ଭିସରେ ଅଙ୍କିତଙ୍କ ସଫଳତା

ସିଭିଲସର୍ଭିସରେ ଅଙ୍କିତଙ୍କ ସଫଳତା

ସିଭିଲସର୍ଭିସରେ ଅଙ୍କିତଙ୍କ ସଫଳତା

ସମ୍ବଲପୁର : ସମ୍ବଲପୁରର ଅଙ୍କିତ ବର୍ମା ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୮୪ ର୍ୟାଙ୍କ ପାଇ ଉତ୍ତୀର୍ଣ୍ଣ ହୋଇଛନ୍ତି । ସମ୍ବଲପୁର ଧନୁପାଲିର ପ୍ରତିଷ୍ଠିତ ଗହଣା ସୋ’ରୁମ୍ ଅଳଙ୍କାର ଜୁଏଲର୍ସ ପରିବାରର ବଡ଼ପୁଅ ଅଙ୍କିତ କମ୍ପୁ୍ୟଟର ସାଇନସ ଇଂଜିନିୟରିଂ ଡିଗ୍ରି ହାସଲ ପରେ ପିତାଙ୍କ ପରାମର୍ଶରେ ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତି କରିଥିଲେ । ୨୦୧୨ରେ ଇଂଜିନିୟରିଂ ଶେଷ କରିଥିଲେ । କ୍ୟାମ୍ପସ ଚୟନରେ ଟିସିଏସରେ ନିଯୁକ୍ତି ପାଇଥିଲେ ବି ସେ ଚାକିରି ନକରି ନିଜ ପାରିବାରିକ ବ୍ୟବସାୟରେ ମନୋନିବେଶ କରିଥିଲେ । ତେବେ ୨୦୧୫ରୁ ଦିଲ୍ଲୀରେ ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଚଳିତବର୍ଷ ନିଜ ଶେଷ ଉଦ୍ୟମରେ ଅଙ୍କିତ ସଫଳ ହୋଇଛନ୍ତି । ସର୍ବଭାରତୀୟସ୍ତରରେ ୧୮୪ ର୍ୟାଙ୍କ ସହ ସେ ଏକ ଭଲ ପଦବିରେ ଚାକିରି ପାଇବା ନିଶ୍ଚିତ କରିଛନ୍ତି । ଏହି ସଫଳତା ପାଇଁ ଅଙ୍କିତ ନିଜ ବାପା, ମାଆ, ଆଇ, କାକା, ଭାଇ, ଭଉଣୀଙ୍କୁ ଶ୍ରେୟ ଦେଇଛନ୍ତି ।  ଅଙ୍କିତ କହିଥିଲେ ଯେ ଶେଷ ଉଦ୍ୟମରେ ସଫଳ ହୋଇଥିବାରୁ ସେ ବହୁତ ଖୁସି । ସିଭିଲ ସର୍ଭିସ ଜରିଆରେ ନିଜ ଦେଶ ତଥା ରାଜ୍ୟର ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ଓଡ଼ିଶା କ୍ୟାଡରକୁ ନିଜ ପ୍ରଥମ ପସନ୍ଦ ଦେଇଛନ୍ତି । କିନ୍ତୁ ଯେଉଁ ରାଜ୍ୟ ମିଳିଲେ ବି ସାଧାରଣ ଲୋକଙ୍କ ପାଇଁ କିଛି ଭଲ କାମ କରିପାରିଲେ ତାଙ୍କ ଚାକିରି ସାର୍ଥକ ହେବ । ସମ୍ବଲପୁର ସହର ଧନୁପାଲି ନିବାସୀ ଅଶୋକ ବର୍ମା ଏବଂ ବିନିତା ବର୍ମାଙ୍କ ବଡ଼ପୁଅ ଅଙ୍କିତ ମଦନାବତୀ ପବ୍ଲିକ୍ ସ୍କୁଲରୁ ଦଶମ ପାସ କରିବା ପରେ ବିଶାଖାପାଟଣାରେ +୨ ଓ ଚେନ୍ନାଇର ଏସଆରଏମ୍ ୟୁନିଭର୍ସିଟିରେ କମ୍ପୁ୍ୟଟର ସାଇନସ ଡିଗ୍ରି ହାସଲ କରିଥିଲେ ।