ଆଇଏଏସ୍ ହେବି, ଦେଖିବାକୁ ମା’ ନାହାନ୍ତି
ଆଇଏଏସ୍ ହେବି, ଦେଖିବାକୁ ମା’ ନାହାନ୍ତି

ଭୁବନେଶ୍ୱର : ସିଭିଲ ସର୍ଭିସ ପରୀକ୍ଷାର ୪୬ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର ଜୁବିନ ମହାପାତ୍ର । ଲଗାତାର ତୃତୀୟ ଥର ପାଇଁ ସେ ଏଭଳି ସଫଳତା ପାଇଛନ୍ତି । ପୂର୍ବରୁ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଭଲ ର୍ୟାଙ୍କ ମିଳି ନ ଥିବାରୁ ଆଇପିଏସ ପଦ ମିଳିଥିଲା । ତେବେ ଏଥର କଠିନ ପରିଶ୍ରମ କରି ସେ ଦେଶର ଶ୍ରେଷ୍ଠ ୫୦ ମଧ୍ୟରେ ସ୍ଥାନ ପାଇବା ସହ ଆଇଏଏସ ହେବାର ଲକ୍ଷ୍ୟ ପୂରଣ କରିଛନ୍ତି । ମା’ଙ୍କ ପ୍ରେରଣା ଯୋଗୁଁ ସେ ଆଜି ସଫଳତା ପାଇଛନ୍ତି ସତ । ହେଲେ ତାଙ୍କର ଏହି ସଫଳତାର ଖୁସି ଦେଖିବାକୁ ମା’ ନାହାନ୍ତି । କରୋନାରେ ଆକ୍ରାନ୍ତ ହୋଇ ଗତ ଜୁଲାଇ ମାସରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଛି । ତା’ପରେ ବି ସେ ହାରି ନାହାନ୍ତି । ଦେଶର ସେବା କରିବାକୁ ସେ ବଦ୍ଧପରିକର ଥିବା କହିଛନ୍ତି । ସଫଳତା ସମ୍ପର୍କରେ ପ୍ରତିକ୍ରିୟା ଦେଇ ଜୁବିନ କହିଛନ୍ତି ଯେ ୪୬ତମ ସ୍ଥାନରେ ରହିଥିବାରୁ ବହୁତ ଖୁସି ଲାଗୁଛି । ଆଇଏଏସ ହେବାର ସ୍ୱପ୍ନ ସାକାର ହୋଇଛି । କୋଭିଡ-୧୯ ଭିତରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ବହୁତ କଷ୍ଟକର ଥିଲା । ତା’ପରେ ବି ପ୍ରୟାସ ଜାରି ରଖିଥିଲି । ଚାକିରି କରିବା ସହ ପାଠପଢ଼ା ପ୍ରତି ମଧ୍ୟ ଧ୍ୟାନ ଦେଉଥିଲି । ରୁରକି ଆଇଆଇଟିରେ ସ୍ନାତ କୋତ୍ତର ଶିକ୍ଷା ଗ୍ରହଣ ପରେ ଚାକିରି କରିବା ସହ ସିଭିଲ ସର୍ଭିସ ପାଇଁ ମଧ୍ୟ ପ୍ରୟାସ ଜାରି ରଖିଥିଲି । ଏଥିପାଇଁ କୌଣସି ସ୍ୱତନ୍ତ୍ର କୋଚିଂ ନେଇ ନଥିଲି । ବରଂ ଇଣ୍ଟରନେଟ ମାଧ୍ୟମରେ ଯାହା କିଛି ପଢ଼ାପଢ଼ି କରୁଥିଲି । ‘ଆପ୍ଟି ପ୍ଲସ’ରେ ଇଣ୍ଟରଭୁ୍ୟ ଗାଇଡାନ୍ସ ପ୍ରୋଗ୍ରାମରେ ଭାଗ ନେଇଥିଲି । ଟାଇମ୍ ମ୍ୟାନେଜମେଣ୍ଟ କରିବା ମୋ ପାଇଁ ସବୁଠାରୁ ବଡ଼ ଆହ୍ୱାନ ଥିଲା ।
ସେ ଆହୁରି କହିଛନ୍ତି ଯେ ମା’ ମୋର ପ୍ରେରଣା ଥିଲେ । ସେ ଅଧ୍ୟାପିକା ଭାବେ ରାଜଧାନୀ କଲେଜ, ବାଲେଶ୍ୱର କଲେଜ, ଶୈଳବାଳା କଲେଜରେ ୩୦ରୁ ୩୨ ବର୍ଷ ଧରି ସେବା କରିଥିଲେ । ତାଙ୍କ ହାତରେ ବହୁ ଛାତ୍ରଛାତ୍ରୀ ସୃଷ୍ଟି ହୋଇଛନ୍ତି । ମୋ ସଫଳତା ପଛରେ ହିଁ ତାଙ୍କର ପ୍ରେରଣା ରହିଛି । ପ୍ରତିଟି କ୍ଷଣରେ ସେ ମୋତେ ପରାମର୍ଶ ଦେଇଥିଲେ । ଆଇଏଏସ ହୋଇ ଦେଶ ପାଇଁ କାମ କରିବା ମୋର ପ୍ରଥମ ଲକ୍ଷ୍ୟ । ଯେଉଁଠି ବି ଚାକିରି କରେ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଅଧିକ ପ୍ରାଥମିକତା ଦେବି । ସମାଜର ପ୍ରତିଟି ପିଲା ଯେପରି ପାଠ ପଢ଼ିପାରିବେ ତାହାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବି । କିଛିଟା ପରିବର୍ତନ କରିବାକୁ ଚେଷ୍ଟା କରିବି । ପ୍ରଶାସକ ଓ ଲୋକଙ୍କ ମଧ୍ୟରେ ବ୍ୟବଧାନ କିଭଳି ଭାବେ ଦୂର ହୋଇପାରିବ ସେଥିପ୍ରତି ପ୍ରାଥମିକତା ଦେବି ବୋଲି ମତ ପ୍ରକାଶ କରିଛନ୍ତି ।