ସିନ୍ଧୁଙ୍କୁ ଐତିହାସିକ ସ୍ୱର୍ଣ୍ଣ

ସିନ୍ଧୁଙ୍କୁ ଐତିହାସିକ ସ୍ୱର୍ଣ୍ଣ

ସିନ୍ଧୁଙ୍କୁ ଐତିହାସିକ ସ୍ୱର୍ଣ୍ଣ
ବାସେଲ : ଭାରତର ତାରକା ମହିଳା ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ରବିବାର ତାଙ୍କ ଜାଜ୍ୱଲ୍ୟମାନ କ୍ୟାରିୟରରେ ଆଉ ଏକ ସ୍ୱର୍ଣ୍ଣିମ ସଫଳତା ଯୋଡ଼ିଛନ୍ତି । ସୁଇଜରଲାଣ୍ଡର ବାସେଲଠାରେ ଅନୁଷ୍ଠିତ ବ୍ୟାଡମିଣ୍ଟନ ସର୍ବୋଚ୍ଚ ପ୍ରତିଯୋଗିତା ବିଡବ୍ଲୁ୍ୟଏଫ ବିଶ୍ୱ ଚାମ୍ପିୟନସିପରେ ୨୪ ବର୍ଷିୟା ସିନ୍ଧୁ ମହିଳା ସିଙ୍ଗଲ୍ସ ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି । ହାଇଦ୍ରାବାଦୀ ଲଳନା ସିନ୍ଧୁ ଏକ ତରଫା ବିଶିଷ୍ଟ ଫାଇନାଲରେ ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରିଛନ୍ତି । ଏଥି ସହ ପ୍ରଥମ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ଭାବେ ସେ ଏହି ସମ୍ମାନ ଜନକ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ଏହି ହାଇଭୋଲଟେଜ ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚକୁ ୨୪ ବର୍ଷିୟା ସିନ୍ଧୁ ଏକତରଫା ଭାବେ ୨୧-୭, ୨୧-୭ ସିଧାସଳଖ ଗେମରେ ଓକୁହାରାଙ୍କୁ ପରାସ୍ତ କରିବାରେ ସମର୍ଥ ହୋଇଥିଲେ । ୫ ଫୁଟ ୧୦ ଇଞ୍ଚ ଉଚ୍ଚତା ବିଶିଷ୍ଟ ସିନ୍ଧୁ ନିଜ ଉଚ୍ଚତାର ସମ୍ପୂର୍ଣ୍ଣ ଫାଇଦା ଉଠାଇ ମାତ୍ର ୩୮ ମିନିଟରେ ମ୍ୟାଚକୁ ଜିତି ନେଇଥିଲେ । ଏଥି ସହ ସିନ୍ଧୁ ୨ ବର୍ଷ ତଳର ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଛନ୍ତି । ୨୦୧୭ଗ୍ଲାସଗୋରେ ଖେଳାଯାଇଥିବା ଏହି ସମାନ ପ୍ରତିଯୋଗିତାର ଫାଇନାଲେରେ ଓକୁହାରାଙ୍କ ନିକଟରୁ ହାରି ସିନ୍ଧୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ । ସେହି ଫାଇନାଲ ମ୍ୟାଚ ଦୀର୍ଘ ୧ ଘଣ୍ଟା ୫୦ ମିନିଟ ଧରି ଅନୁଷ୍ଠିତ ହୋଇଥିଲା । ଯାହାକୁ ବ୍ୟାଡମିଣ୍ଟନ ଇତିହାସର ଅନ୍ୟତମ ଶ୍ରେଷ୍ଠ ମ୍ୟାଚ୍ ଭାବେ ବିବେଚିତ କରାଯାଇଛି ।