ସାଂସଦ ଓ ବିଧାୟକଙ୍କ ମହିଳା ବିରୋଧୀ ଅପରାଧ ନେଇ ଏଡିଆର୍ ରିପୋର୍ଟ

ସାଂସଦ ଓ ବିଧାୟକଙ୍କ ମହିଳା ବିରୋଧୀ ଅପରାଧ ନେଇ ଏଡିଆର୍ ରିପୋର୍ଟ

ସାଂସଦ ଓ ବିଧାୟକଙ୍କ ମହିଳା ବିରୋଧୀ ଅପରାଧ ନେଇ ଏଡିଆର୍ ରିପୋର୍ଟ
ଭୁବନେଶ୍ୱର- ୨୦୦୯ରୁ ୨୦୧୯ ମଧ୍ୟରେ ସାଂସଦ ଓ ବିଧାୟକଙ୍କ ମହିଳା ବିରୋଧୀ ହିଂସା ଓ ଅପରାଧୀକ କାର୍ଯ୍ୟକଳାପ ନେଇ ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସ୍ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ନିର୍ବାଚନ ପ୍ରାର୍ଥିପତ୍ର ଦାଖଲ ବେଳେ ବିଭିନ୍ନ ଦଳର ପ୍ରାର୍ଥୀମାନେ ନିର୍ବାଚନ କମିସନଙ୍କୁ ପ୍ରଦାନ କରିଥିବା ଅପରାଧିକ ରେକର୍ଡକୁ ବିଶ୍ଲେଷଣ କରି ଏଡିଆର ଏହି ରିପୋର୍ଟ ପ୍ରସ୍ତୁତ କରିଛି । ରିପୋର୍ଟ ଅନୁଯାୟୀ ବିଜେପି ଦଳରେ ସବୁଠୁ ଅଧିକ ୨୧ ଜଣ ସାଂସଦ ଓ ବିଧାୟକମାନଙ୍କ ନାମରେ ମହିଳା ବିରୋଧୀ ଅପରାଧିକ ମାମଲା ରହିଛି । ବିଜେପି ପଛକୁ ରହିଛି ଭାରତୀୟ ଜାତୀୟ କଂଗ୍ରେସ ଓ ୱାଇଏସଆର କଂଗ୍ରେସ ପାର୍ଟି । ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଓଡ଼ିଶା ୧୨ ଜଣ ସାଂସଦ ଓ ବିଧାୟକ ସେମାନଙ୍କ ନାମରେ ଥିବା ମହିଳା ବିରୋଧୀ ମାମଲା ସମ୍ପର୍କରେ ନିର୍ବାଚନ କମିସନଙ୍କ ପାଖରେ ସତ୍ୟପାଠ ଦାଖଲ କରିଛନ୍ତି । ସେମାନେ ହେଲେ ବିଜେଡିର ନିମାପଡ଼ା ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମାହାଙ୍ଗା ବିଧାୟକ ତଥା ପଞ୍ଚାୟତିରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା, ବିଜେପି ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବିଜେଡିର ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପରଜଙ୍ଗ ବିଧାୟକ ନୃସିଂହ ସାହୁ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଧବ, କଂଗ୍ରେସର ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଜେପିର ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ବାରିପଦା ବିଧାୟକ ପ୍ରକାଶ ସୋରେନ । ରିପୋର୍ଟ ଅନୁଯାୟୀ ୭୫୬ ଜଣ ସାଂସଦ ଓ ୪ ହଜାର ୬୩ ଜଣ ବିଧାୟକଙ୍କ ଭିତରୁ ୭୬ ଜଣ ସାଂସଦ ଓ ବିଧାୟକଙ୍କ ନାମରେ ମହିଳା ବିରୋଧୀ ଅପରାଧ ମାମଲା ଦରଜ ହୋଇଛି । ଗତ ୫ ବର୍ଷ ଭିତରେ ୫୭୨ ଜଣ ସାଂସଦଙ୍କ ବିରୋଧରେ ଗୋଟିଏ ବି ମହିଳା ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ଅପରାଧିକ ମାମଲା ଥାଇ ବି ୪୧୦ ଜଣଙ୍କୁ ୨୦୧୯ ନିର୍ବାଚନରେ ପ୍ରାର୍ଥୀ କରାଯାଇଥିଲା ।