ସମଗ୍ର ଓଡ଼ିଶାରେ ପେଟ୍ରାଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା କଗ୍ରେଂସ
ସମଗ୍ର ଓଡ଼ିଶାରେ ପେଟ୍ରାଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା କଗ୍ରେଂସ
admin
Jul 9, 2021 - 12:43
Updated: Jul 9, 2021 - 12:43
ଭୁବନେଶ୍ୱର: ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ବଲାଙ୍ଗୀର ମହିଳା କଂଗ୍ରେସ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ନେତ୍ରୀମାନେ ଅଭିନବ ପ୍ରତିବାଦ କରିଛନ୍ତି। ଗ୍ୟାସ ସିଲିଣ୍ଡର ସାମ୍ନାରେ ରଖି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଓ ସ୍ଲୋଗାନ ଦେଇଛନ୍ତି କଂଗ୍ରେସ କର୍ମୀ।
ସାରା ଦେଶରେ ରନ୍ଧନ ଗ୍ୟାସ, ତୈଳ, ଡାଲି ଏବଂ ଅତ୍ୟାବଶ୍ୟକ ସାମଗ୍ରୀମାନଙ୍କର ଦର ହୁ ହୁ ହୋଇ ବଢିଚାଲିଥିବା ବେଳେ ତା’ଉପରେ ଲଗାମ ଲଗାଇ ପାରୁନାହାନ୍ତି ସରକାର। ତେଣୁ ଗରିବ ଲୋକେ ହଇରାଣ ହରକତ ହେଉଥିବା ଅଭିଯୋଗ କରିଛି ମହିଳା କଂଗ୍ରେସ। ଦୀର୍ଘ ସମୟ ଧରି ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମିଳାନୀ ସାହୁଙ୍କ ନେତୃତ୍ୱରେ ଆନ୍ଦୋଳନ କରିବା ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଆନ୍ଦୋଳନକାରୀମାନେ ଦାବିପତ୍ର ପ୍ରଦାନ କରିଥିଲେ ।
ଅନ୍ୟପକ୍ଷରେ ଓଡ଼ିଶା ପ୍ରଦେଶ ଯୁବ କଗ୍ରେଂସ ସଭାପତି ପକ୍ଷରୁ ଦର ବୃଦ୍ଧିର ତୀବ୍ର ପ୍ରତିବାଦ କରାଯାଇଛି । ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ଆହ୍ୱାନରେ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏକାମ୍ର ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ନେତା ରିତୁଲ ମହାରଣାଙ୍କ ନେତୃତ୍ୱରେ ଭୁବନେଶ୍ୱର ଖଣ୍ଡଗିରି ଛକ ନିକଟରୁ ସାେଇକଲ ଶୋଭାଯାତ୍ରା ବାହାରି ବରମୁଣ୍ଡା ବସ୍ ଷ୍ଟାଣ୍ଡ ଛକରେ ପହଞ୍ଚିଥିଲା । ମଟର ସାଇକେଲକୁ ମର ଶରୀରରେ ସଜେଇବା ସହ ଏହାକୁ କୋକେଇରେ ରଖି ପରିକ୍ରମା କରାଯାଇଥିଲା । ଏପରିକି ପରେ ମଟର ସାଇକେଲକୁ ପୋଡ଼ି ଦିଆଯାଇଥିଲା । ଏଭଳି ଢଙ୍ଗରେ ଦର ବୃଦ୍ଧିର ପ୍ରତିବାଦ କରିଛି ଯୁବ କଂଗ୍ରେସ । ସମ୍ପ୍ରତି ସମଗ୍ର ଦେଶ କରୋନା କବଳରୁ ମୁକ୍ତ ହୋଇ ନଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ –ଡିଜେଲ୍ ଦର ବୃଦ୍ଧି କରିଚାଲିଛନ୍ତି । ପ୍ରାୟ ସବୁ ସ୍ଥାନରେ ୧୦୦ ଉପରେ ପାର୍ କଲାଣି ଦର । ସେହିପରି ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଦର ବୃଦ୍ଧି ଘଟିଛି । ଜନତାଙ୍କ ସ୍ୱାଥର୍କୁ ଭୁଲି ସରକାର ଟିକସ ଆଳରେ ଦଳୀୟ ପାଣ୍ଠିକୁ ମଜଭୁତ କରୁଛନ୍ତି ବୋଲି ଯୁବ କଂଗ୍ରେସ ନେତା ରିତୁଲ ମହାରଣା ଅଭିଯୋଗ କରିଛନ୍ତି । ବିଜୁ ଜନତା ଦଳର ସରକାର ମଧ୍ୟ ଭ୍ୟାଟ୍ ନକମାଇ ଜନବିରୋଧୀ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିବା ସହ ମୋଦୀ ସରକାରଙ୍କ ଉପରେ ବର୍ଷିଥିଲା ଯୁବ କଂଗ୍ରେସ । ସେହିପରି ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳ ବଦଳ ହୋଇଥିବାବେଳେ ପେଟ୍ରୋଲିଅମ୍ ମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଅପାରଗତା ଲୋକଲୋଚନକୁ ଆସିଛି । ତେବେ ନୂତନ ମନ୍ତ୍ରୀ ହରଦୀପ ସିଂ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ କାମ କରିବେ ନା ଦଳୀୟ ପାଣ୍ଠି ପାଇଁ ତାକୁ ନେଇ ପ୍ରଶ୍ନ କରିଛନ୍ତି ରିତୁଲ ମହାରଣା । ବିକ୍ଷୋଭ ସମାବେଶରେ ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ଜ୍ଞାନ ରଞ୍ଜନ ରାଉତ ଓ ଆଶୁତୋଷ ଲେଙ୍କାଙ୍କ ସହ ବହୁ ଯୁବ ନେତା ସାମିଲ୍ ହୋଇଥିଲେ ।