ଶ୍ରୀମନ୍ଦିର ସେବାୟତ କୃଷ୍ଣ ପ୍ରତିହାରୀଙ୍କ ହତ୍ୟା ଘଟଣାରେ ୬ ଗିରଫ
ଶ୍ରୀମନ୍ଦିର ସେବାୟତ କୃଷ୍ଣ ପ୍ରତିହାରୀଙ୍କ ହତ୍ୟା ଘଟଣାରେ ୬ ଗିରଫ
ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀଙ୍କ ହତ୍ୟା ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ସାମିଲ ଅଛନ୍ତି। ଗତ ୬ ଦିନ ଧରି ପୁଲିସ୍ ବିଭିନ୍ନ ଜାଗାରେ ଚଢ଼ଉ କରି ସମସ୍ତଙ୍କୁ ଗିରଫ କରିଥିବା ପୁରୀ ଏସି୍ପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅନ୍ୟମାନେ ହେଲେ ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ ଓ ବାବା ମହାପାତ୍ର । ଆଜି ୬ ଜଣଙ୍କୁ କୋର୍ଟ ଚାଲାଣ କରାଯିବ। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଅଧିକ ପଚରାଉଚରା ପାଇଁ ଓ ସିନ୍ ରିକ୍ରିଏଟ ପାଇଁ ରିମାଣ୍ଡ ଆବେଦନ ହେବ ।
ଏହି ଘଟଣାରେ ସମ୍ପୃକ୍ତ ଆଉ ୩ ଜଣ ହରି ପଣ୍ଡା, କୁନିମୁନି ଓ ଟୁଟୁ ଏବେ ବି ପୁଲିସ୍ ପଞ୍ଝାରୁ ବାହାରେ ଅଛନ୍ତି। ତାଙ୍କୁ ଧରିବା ଲାଗି ପୁରୀ, ବ୍ରହ୍ମପୁର ସମେତ ବିଭିନ୍ନ ଜାଗାରେ ରେଡ ଚାଲିଥିବା କହିଛନ୍ତି ଏସ୍ପି।
ପ୍ରାଥମିକ ତଦନ୍ତରୁ ୨୦୧୨ ଅଗଷ୍ଟ ୨୨ରେ ଗୁନ ସିଂହାରୀ ହତ୍ୟା ଘଟଣାର କୃଷ୍ଣଚନ୍ଦ୍ର ମର୍ଡର କେସ୍ ସହ ଲିଙ୍କ୍ ରହିଥିବା ସୂଚନା ମିଳିଛି । ଗୁନ ସିଂହାରୀ ହତ୍ୟା ମାମଲାରେ ଗିରଫ କୃଷ୍ଣ ପ୍ରତିହାରୀଙ୍କ ସମେତ ସମସ୍ତ ଅଭିଯୁକ୍ତ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଏହାପରେ ପ୍ରତିଶୋଧ ପରାୟଣ ହୋଇ ଗୁନ ସିଂହାରୀଙ୍କୁ ନ୍ୟାୟ ଦେବାକୁ ଏପରି ଷଡ୍ଯନ୍ତ୍ର କରାଯାଇଥିଲା। ଗତ ୧୬ ତାରିଖରେ କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା କରାଯାଇଥିଲା। ଏଥିନିମନ୍ତେ ପୂର୍ବରୁ ଗୋଟିଏ ଲଜରେ ୨ ଥର ପ୍ରସ୍ତୁତି ବୈଠକ ହୋଇଥିଲା। ଏପରିକି କୃଷ୍ଣଙ୍କୁ ହତ୍ୟା ନିମନ୍ତେ ପୂର୍ବରୁ ଚେଷ୍ଟା କରାଯାଇଥିବା ବେଳେ ବିଫଳ ହୋଇଥିଲେ ଷଡଯନ୍ତ୍ରକାରୀ। ଏହାପରେ ଏଥିନିମନ୍ତେ କାଳୁ ପାଣିଗ୍ରାହୀଙ୍କୁ ୩୦ ଲକ୍ଷ ଟଙ୍କାର ସୁପାରୀ ଦିଆଯାଇଥିଲା । କାଳୁ କାଳିଆଙ୍କ ଲଜ୍ର ମ୍ୟାନେଜର ହୋଇଥିବା ବେଳେ ଏଥିନିମନ୍ତେ ପୂର୍ବରୁ ୨ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା। ସେଥିମଧ୍ୟରୁ ଦେଢ ଲକ୍ଷ ଟଙ୍କା ଜବତ କରିଛି ପୁଲିସ୍ । ଗିରଫ ମୁନା ହତ୍ୟାକାଣ୍ଡ ପାଇଁ ବନ୍ଧୁକ ଯୋଗାଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କ ସହ ଯୋଗାଯୋଗ ରଖିବା ସହ ହତ୍ୟାକାଣ୍ଡ ପରେ ସେମାନଙ୍କୁ ଫେରାର କରାଇବାରେ ସନ୍ଦୀପର ଥିଲା ମୁଖ୍ୟ ଭୂମିକା ।
ନରସିଂହ ପ୍ରତିହାରୀଙ୍କ ଅଭିଯୋଗକୁ ଭିତ୍ତି କରି ଏଫଆଇଆର ରୁଜୁ ହୋଇଥିବା ବେଳେ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ସେଥି ମଧ୍ୟରୁ ୩ ଜଣ ବନ୍ଧା ହୋଇଥିବା ବେଳେ ଆଉ ୩ ଜଣ ଟୁଟୁ, କୁନୁମୁନି ଓ ହରି ପଣ୍ଡାକୁ ଖୋଜୁଛି ପୁଲିସ୍।




admin 