ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା, ସନ୍ଦିଗ୍ଧକୁ ଚାଲିଛି ଜେରା
ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା, ସନ୍ଦିଗ୍ଧକୁ ଚାଲିଛି ଜେରା
ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣାରେ ଅଟକ ସନ୍ଦିଗ୍ଧକୁ ଅଜଣା ଜାଗାରେ ଜେରା କରୁଛି ପୁଲିସ୍। ପୁରୀର ଏକ ଗୁପ୍ତ ସ୍ଥାନରେ ସମ୍ପୃକ୍ତ ସନ୍ଦିଗ୍ଧକୁ ପଚରାଉଚରା ଚାଲିଥିବା ବେଳେ ପୁରୀ ପୁଲିସ୍ର ବରିଷ୍ଠ ଅଧିକାରୀଙ୍କ ସମେତ ଖୋଦ ଏସ୍ପି ମଧ୍ୟ ପଚରାଉଚୁରା କରୁଥିବା ଜଣାଯାଇଛି। ସନ୍ଦିଗ୍ଧଜଣକ କେବଳ ଚୁଲି ଭାଙ୍ଗିବାକୁ ଶ୍ରୀମନ୍ଦିରରେ ପଶିଥିଲା, ନା ଆଉ କିଛି ଉଦ୍ଦେଶ୍ୟ ଥିଲା, ଏହି ଷଡ଼ଯନ୍ତ୍ର ପଛରେ ଆଉ କାହା ହାତ ଅଛି କି ଆଦି ତଥ୍ୟ ଜାଣିବାକୁ ତନାଘନା ଚଳାଇଛି ପୁଲିସ୍।
ଅଟକ ଯୁବକ ଜଣକ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳ ବୋଲି କୁହାଯାଉଛି । ସିସିଟିଭି ଫୁଟେଜରୁ ଏହି ସନ୍ଦିଗ୍ଧକୁ ଚିହ୍ନଟ କରିଥିଲା ପୁଲିସ୍।। ଶ୍ରୀମନ୍ଦିରରୁ ବାହାରିବା ପରେ ସନ୍ଦିଗ୍ଧ ନିଜ ଘର ଖୋର୍ଦ୍ଧାକୁ ଚାଲି ଯାଉଥିଲା। ଏ ସମ୍ପର୍କରେ ଖବର ପାଇ ପୁରୀ ପୁଲିସ୍ ତାକୁ ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ସୀମାରୁ ଧରିଥିବା ଜଣାପଡ଼ିଛି। ସିଂହଦ୍ୱାର ଥାନା ଇନଚାର୍ଜ ତଥା ଟାଉନ ଥାନା ଆଇଆଇସି ଏବଂ ବାସେଳି ସାହି ଥାନା ଆଇଆଇସି ତାକୁ ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ସୀମାରୁ ଧରି ପୁରୀ ଆଣିଥିଲେ। ପୁରୀ ଅତିରିକ୍ତ ଏସ୍ପିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲେ ବି ଏସ୍ପି କେ. ବି. ସିଂହ ନିଜେ ତଦନ୍ତର ଅନୁଧ୍ୟାନ କରୁଛନ୍ତି । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏସ୍ପି ନିଜେ ଅଟକ ଯୁବକକୁ ପଚରାଉଚରା କରିଥିବା ଜଣାଯାଇଛି। ଆଜି ପ୍ରେସମିଟ୍ ଜରିଆରେ ଘଟଣା ସମ୍ପର୍କରେ ସୂଚନା ଦେଇପାରନ୍ତି ପୁରୀ ଏସ୍ପି।
ଘଟଣା ଦିନ ରାତି ଗୋଟାଏ ପାଞ୍ଚ ମିନିଟ୍ରେ ବାଇଶି ପାହାଚ ପାର୍ଶ୍ୱରେ ଥିବା ରୋଷଶାଳାର ପ୍ରବେଶ ପଥ ଦେଇ ଭୋଗମଣ୍ଡପ ଘର ପାଖରେ ପହଞ୍ଚିଥିଲା ସନ୍ଦିଗ୍ଧ ଯୁବକ। ରାତି ଗୋଟାଏ ଛଅ ମିନିଟ୍ ସମୟରେ ସେ ପାଟଅଗଣା ଭିତରକୁ ଯାଇଥିଲା। ସେଠାରୁ ସେ ଗାରଦ ପାହଚ ଦେଇ ନାଟମଣ୍ଡପର ପୋଖରୀଆ ଭିତରକୁ ଯାଇଥିଲା। ତା’ପରେ ସେ ସେଠାରୁ ଗରୁଡ଼ ସ୍ତମ୍ଭ ଦେଇ ମୁଦୁଲି ଦୁଆର ବାଟେ ଚାଲି ଯାଇଥିଲା।
ତେବେ ରାତି ପ୍ରାୟ ଗୋଟାଏ ୧୬ରୁ ୧୭ ମିନିଟ୍ ସମୟରେ ଚୁଲି ଭଙ୍ଗା ଯାଇଥିବା ନେଇ ସେବାୟତମାନେ ଗାରଦରେ ଖବର ଦେଇଥିଲେ। ଠିକ୍ ସେହି ସମୟ ଭିତରେ ଅର୍ଥାତ ରାତି ପ୍ରାୟ ଗୋଟାଏ ୨୭ ମିନିଟ୍ ସମୟରେ ୩ ଜଣ ଜେଟିପି ସମ୍ପୃକ୍ତ ବ୍ୟକ୍ତିକୁ ଧରି ସିଂହଦ୍ୱାର ସମ୍ମୁଖରେ ଛାଡ଼ି ଦେଇଥିଲେ। ତା‘ପରେ ସେ ଫେରାର ହୋଇଥିଲା। ଶ୍ରୀମନ୍ଦିରରୁ ବାହାରିବା ପରେ ସନ୍ଦିଗ୍ଧ ନିଜ ଘର ଖୋର୍ଦ୍ଧାକୁ ଚାଲି ଯାଉଥିଲା। ଏହାପରେ ପୁଲିସ୍ ତନାଘନା ଚଳାଇ ସିସିଟିଭି ଫୁଟେଜ ଆଧାରରେ ସମ୍ପୃକ୍ତ ଯୁବକକୁ ଉଠାଇ ଆଣିଛି।




admin 