ଶ୍ରୀଜୀଉଙ୍କୁ ୫ କେଜି ସୁନା ଦାନ
ଶ୍ରୀଜୀଉଙ୍କୁ ୫ କେଜି ସୁନା ଦାନ
admin
Feb 17, 2021 - 06:16
Updated: Feb 17, 2021 - 06:16
ପୁରୀ: ପବିତ୍ର ବସନ୍ତ ପଞ୍ଚମୀରେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ସୁଭଦ୍ରାଙ୍କୁ ୮ କେଜିର ସୁନା ଓ ରୂପା ଅଳଙ୍କାର ଦାନ କରିଛନ୍ତି ମୁମ୍ବାଇର ଜନୈକ ଭକ୍ତ । ଏହି ଅଳଙ୍କାର ଭିତରେ ୯୩ଟି ଶ୍ରୀମୁଖ ପଦ୍ମ, ୬ଟି ଝୋବା ଓ ୨ଟି ତଡ଼କି ରହିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ପୂର୍ବରୁ ମୁମ୍ବାଇର ଏହି ଦାତା ମହାପ୍ରଭୁଙ୍କୁ ସୁନା ଦାନ ସୂତ୍ରରେ ଦେବାକୁ ମନସ୍ଥ କରିଥିଲେ । ଆଲୋଚନା ପର୍ଯ୍ୟାଲୋଚନା ପରେ ଦାତାଙ୍କୁ ସୁନା ଅଳଙ୍କାର ଦେବାକୁ କୁହାଯାଇଥିଲା । ମାସେ ଧରି ସୁନା ଅଳଙ୍କାର ପ୍ରସ୍ତୁତି କାମ ଚାଲିଥିଲା । ଏହା ଭିତରେ ପରିଚାଳନା କମିଟି ସଦସ୍ୟଙ୍କ ସମେତ ଅନ୍ୟେ ବରିଷ୍ଠ ସେବାୟତମାନେ ଅଳଙ୍କାର କାମ ଦେଖି ଫେରିଥିଲେ । ଶେଷରେ ମୁମ୍ବାଇରେ ଏହି ସୁନା ଅଳଙ୍କାର ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ବଡ଼ଠାକୁର ବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା ରହିଛି । ଏସବୁ ଅଳଙ୍କାରରେ ୪ କେଜି ୮୫୮ ଗ୍ରାମ ସୁନା ଓ ୩ କେଜି ୮୭୬ ଗ୍ରାମ ରୂପା ବ୍ୟବହାର କରାଯାଇଛି ।