ଶୋଇଥିବା ବେଳେ ଦଳିଦେଲା ଦନ୍ତା, ଶିଶୁ ମୃତ

ଶୋଇଥିବା ବେଳେ ଦଳିଦେଲା ଦନ୍ତା, ଶିଶୁ ମୃତ

ଶୋଇଥିବା ବେଳେ ଦଳିଦେଲା ଦନ୍ତା, ଶିଶୁ ମୃତ

କାମାକ୍ଷାନଗର:  ବାରଣ୍ଡାରେ ଶୋଇଥିବା ବାପପୁଅଙ୍କୁ ଆକ୍ରମଣ କରିଛି ଦନ୍ତା। ଦନ୍ତା ଆକ୍ରମଣରେ ୫ ବର୍ଷୀୟ ଶିଶୁପୁତ୍ର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜୀବନ ସହିତ ସଂଗ୍ରହମ କରୁଛନ୍ତି ମୃତ ଶିଶୁଙ୍କ ବାପା। ଗୁରୁବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମହୁଲଡଗର ଗାଁରେ  ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ହେଲେ ରିଶି ଜେରେଇ । ତାଙ୍କ ବାପା ରସାନନ୍ଦ ଜେରେଇ ଏବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଅନୁଯାୟୀ , ଗତକାଲି ରାତିରେ ରସାନନ୍ଦଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ସେ ନିଜ ୫ ବର୍ଷର ପୁଅ ସହ ଘର ବାରଣ୍ଡାରେ ଶୋଇଥିଲେ।   ମାତ୍ର ବିଳମ୍ବିତ ରାତିରେ ଏକ ଗୋଠଛଡା ଦନ୍ତା ତାଙ୍କ ଘର ଆଡ଼କୁ ମାଡ଼ି ଆସିଥିଲା। ହାତୀଟି ପ୍ରଥମେ ରସାନନ୍ଦଙ୍କୁ ଶୁଣ୍ଢରେ ଧରି କଚାଡି ଦେଇଥିଲା ଏବଂ ପରେ ୫ ବର୍ଷର ଶିଶୁପୁତ୍ରର ମୁଣ୍ଡରେ ଦଳି ଦେଇଥିଲା ।

ବାପପୁଅଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ । ବାପା ରସାନନ୍ଦଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଦନ୍ତାକୁ ନେଇ ଗାଁରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।