ଶିମିଳିପାଳନିଆଁ ଲାଗିବା ଘଟଣାରେ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ଜାଭଡେକର
ଶିମିଳିପାଳନିଆଁ ଲାଗିବା ଘଟଣାରେ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ଜାଭଡେକର
admin
Mar 3, 2021 - 06:58
Updated: Mar 3, 2021 - 06:58
ମୟୁରଭଞ୍ଜ: ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ନିଆଁ ଲାଗିବା ଘଟଣାରେ ପଦକ୍ଷେପ ଓ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ଟ୍ବିଟ୍କରି ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜାଭଡେକରଙ୍କୁ ଟ୍ୱିଟ କରି ଦୃଷ୍ଟି ଆକର୍ଷଣ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶିମିଳିପାଳ ଅଗ୍ନିକାଣ୍ଡ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବେଗ ପ୍ରକାଶ କରିଥିଲେ । ଏନେଇ ଟ୍ୱିଟ କରି ବିଭାଗୀୟ ମନ୍ତ୍ରୀଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ । ଦେଶର ଅନ୍ୟତମ ପ୍ରମୁଖ ଅଭୟାରଣ୍ୟ ଶିମିଳିପାଳରେ ଅଗ୍ନିକାଣ୍ଡ ଉଦବେଗଜନକ ବୋଲି ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ଏହାସହ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୃଷ୍ଟି ଦେବାକୁ ଟ୍ୱିଟ କରି ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨ହଜାର ୭୫୦ ବର୍ଗ କିଲୋମିଟରର ବିଶାଳ ଶିମିଳିପାଳ ଅଭୟାରଣ୍ୟ ଆଡକୁ ଦ୍ରୁତ ବେଗରେ ନିଆଁ ମାଡି ଆସୁଛି । ଅଭୟାରଣ୍ୟର ଆଖପାଖ ଜଙ୍ଗଲରେ ସାଙ୍ଘାତିକ ନିଆଁ ଲାଗିଲାଣି । ମୟୂରଭଂଜର ରାଜ ପରିବାର ଏହି ଘଟଣାକୁ ଆଗକୁ ଆଣିଛନ୍ତି । ରାଜକୁମାରୀଙ୍କ ଟ୍ୱିଟକୁ ରିଟ୍ୱିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାକୁ ଗମ୍ଭୀରତା ଭାବେ ନେଇ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ଏହାପରେ ଶିମିଳିପାଳ ଅଗ୍ନିକାଣ୍ଡ ଘଟଣାରେ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡେକର ।
ସେପଟେ ଶିମିଳିପାଳ ଜଙ୍ଗଳ ଜଳିବା ଏସିଆ ପାଇଁ ଭଲ ସଙ୍କେତ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଘଟଣା ପ୍ରତି ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ଧ୍ୟାନ ଦେବା ଜରୁରୀ ବୋଲି କହିଛନ୍ତି ପ୍ରତାପ । ଗୋଟିଏ ସପ୍ତାହେ ପୂର୍ବରୁ ଶିମିଳିପାଳରେ ନିଆଁ ଲାଗିଥିଲେ ବି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ନ ହେବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଥିବା ଜଙ୍ଗଲ ସମେତ ବେତନଟୀ, ରାସଗୋବିନ୍ଦପୁର, ମୋରଡା ଆଦି ରେଞ୍ଜରେ ମାଡିଚାଲିଛି ନିଆଁ । ଯାହାଫଳରେ ଜଙ୍ଗଲ ଆଖପାଖ ଅଂଚଳରେ ଥିବା ଗାଁ ଗୁଡିକ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ନିଆଁ ଲାଗିବା କାରଣରୁ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ବଡ଼ କଥା ହେଉଛି, ଶିମିଳିପାଳ ଅଭୟାରଣ୍ୟରୁ କିଛି ହାତୀ ଆସି ଏହି ଜଙ୍ଗଲରେ ବସବାସ କରୁଥିବା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଛି ।