ଶଙ୍ଖ ଫୁଙ୍କିବେ ପ୍ରଦୀପ ସାହୁ
ଶଙ୍ଖ ଫୁଙ୍କିବେ ପ୍ରଦୀପ ସାହୁ
ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଓ ବେଗୁନିଆକୁ ଛାଡିଦେଲେ ବାକି ସବୁ ନିର୍ବାଚନମଣ୍ଡଳୀରେ କଂଗ୍ରେସ ମୂଳପୋଛ ହୋଇଯାଇଛି । ଜଟଣୀରେ ସୁରେଶ ରାଉତରାୟ ବିଜେଡ଼ିକୁ ମାତ ଦେଇ ବିଜୟୀ ହୋଇଥିବାବେଳେ ବେଗୁନିଆରେ ବିଜେଡିକୁ ଟକ୍କର ଦେଇଥିଲା କଂଗ୍ରେସ । କିନ୍ତୁ ଏବେ ବେଗୁନିଆରେ କଂଗ୍ରେସ ମୂଳପୋଛ ହେବାକୁ ଯାଉଛି । ପଟ୍ଟନାୟକ ପରିବାରର ଏକାନ୍ତ ଅନୁଗତ ପ୍ରଦୀପ ସାହୁ ଖୁବଶୀଘ୍ର ବିଜୁ ଜନତା ଦଳରେ ଯୋଗଦେବେ ବୋଲି ଜାଣିବାକୁ ମିଳିଛି । ସପ୍ତାହକ ମଧ୍ୟରେ ସେ ବିଜେଡ଼ିରେ ଯୋଗଦେବେବୋଲି ବେଗୁନିଆ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।
ଗତ ୨୦୧୯ ନିର୍ବାଚନ ବେଳେ ପ୍ରଦୀପ ସାହୁ ବିଜେଡ଼ି ଟିକେଟରେ ବେଗୁନିଆରୁ ଲଢ଼ିବା ପାଇଁ ଆଶା ବାନ୍ଧିଥିଲେ । ସୌମ୍ୟରଂଜନ ପଟ୍ଟନାୟକଙ୍କ ଖାସ ଲୋକ ଥିବାରୁ ସେ ଟିକେଟ ପାଇଁ ଆଶା କରିଥିଲେ । ତେଣୁ ବିଜେପିରୁ ଡକରା ଆସିଥିଲେବି ପ୍ରଦୀପ ବିଜେପିରେ ଯୋଗ ଦେଇନଥିଲେ । କିନ୍ତୁ ବିଜେଡ଼ି ଟିକେଟ ନମିଳିବାରୁ ପ୍ରଦୀପ ପୁଣି ଥରେ ବିଜେପି ଟିକେଟ ପାଇଁ ଆଶା ବାନ୍ଧି ବସିଥିଲେ । ତେବେ ସେତେବେଳକୁ ଋଷଭ ନନ୍ଦ ବିଜେପି ଟିକେଟ ହାତେଇବାରେ ସମର୍ଥ ହୋଇଥିଲେ । ଫଳରେ ବାଧ୍ୟ ହୋଇ କଂଗ୍ରେସ ଟିକେଟରେ ଲଢ଼ିଥିଲେ ପ୍ରଦୀପ ସାହୁ । ଅପରପକ୍ଷରେ ବିଜୁ ଜନତା ଦଳ ରାଜେନ୍ଦ୍ର ସାହୁଙ୍କୁ ଟିକେଟ ଦେଇଥିବାରୁ ମାଟିର ପୁଅ ନାରା ଦେଇ ୫୦ ହଜାର ଭୋଟ ପାଇବାରେ ସେ ସମର୍ଥ ହୋଇଥିଲେ । କିନ୍ତୁ ଦିନକୁ ଦିନ କଂଗ୍ରେସ ଦୁର୍ବଳ ହେଉଥିବାବେଳେ ବିଜେପିରେ ପ୍ରଦୀପଙ୍କୁ ସ୍ଥାନ ମିଳିନଥିଲା । ଫଳରେ ସେ ବିଜୁ ଜନତା ଦଳରେ ସାମିଲ ହେବାକୁ ନିଷ୍ପତି ନେଇଛନ୍ତି । ଇତିମଧ୍ୟରେ ପ୍ରଦୀପ ବିଭିନ୍ନ ପଂଚାୟତ ଗସ୍ତ କରି କର୍ମୀମାନଙ୍କ ସହ ଆଲୋଚନା କରିଛନ୍ତି । ସମ୍ଭବତଃ ଆସନ୍ତା ୧୪ରେ ସେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି ।




admin 