ରେପୋ ସହ ଯୋଡ଼ିହେଲା ଋଣ ସୁଧ, ରିଜର୍ଭ ବ୍ୟାଙ୍କ ସୁଧ କମାଇଲେ ବ୍ୟାଙ୍କ ସୁଧ ଆପେ କମିବ
ରେପୋ ସହ ଯୋଡ଼ିହେଲା ଋଣ ସୁଧ, ରିଜର୍ଭ ବ୍ୟାଙ୍କ ସୁଧ କମାଇଲେ ବ୍ୟାଙ୍କ ସୁଧ ଆପେ କମିବ
admin
Oct 3, 2019 - 07:59
Updated: Oct 3, 2019 - 07:59
ନୂଆଦିଲ୍ଲୀ: ଦେଶର ପ୍ରମୁଖ ବ୍ୟାଙ୍କଗୁଡ଼ିକ ନିଜର ଋଣ ସୁଧକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋ ହାର ସହ ଯୋଡ଼ିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଆଇଡିବିଆଇ ବ୍ୟାଙ୍କ ତରଫରୁ ଏକ୍ସଟର୍ନାଲ୍ ବେଞ୍ଚମାର୍କ ହାର ଭାବେ ରେପୋ ହାରକୁ ଗ୍ରହଣ କରାଯାଇଛି ।
ରେପୋ ସହ ଋଣ ହାରକୁ ଯୋଡ଼ିବାର ଅର୍ଥ ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ଯେଉଁଭଳି ପରିବର୍ତ୍ତନ କରିବେ ତାହା ଋଣ ସୁଧ ଉପରେ ପ୍ରତିଫଳିତ ହେବ । ରିଜର୍ଭ ବ୍ୟାଙ୍କ ରେପୋ ହାର ହ୍ରାସ ନିଷ୍ପତ୍ତିର ଲାଭକୁ ଗ୍ରାହକଙ୍କ ପାଖରେ ଶୀଘ୍ର ପହଞ୍ଚାଇବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ଦୀର୍ଘଦିନରୁ ରିଜର୍ଭ ବ୍ୟାଙ୍କ ଅଭିଯୋଗ କରୁଥିଲା ଯେ ରେପୋ ହାରରେ ହ୍ରାସ କରାଗଲେ ମଧ୍ୟ ତାହାର ଲାଭ ଗ୍ରାହକଙ୍କ ପାଖରେ ପହଞ୍ଚୁନାହିଁ । ଗ୍ରାହକଙ୍କୁ ଦର ହ୍ରାସର ଲାଭ ଦେବା ଲାଗି ବ୍ୟାଙ୍କଗୁଡ଼ିକ କୁଣ୍ଠିତ ହେଉଛନ୍ତି । ଏହି ସମସ୍ୟାର ସମାଧାନ କରିବା ଲାଗି ଯେକୌଣସି ଏକ୍ସଟରନାଲ୍ ବେଞ୍ଚମାର୍କକୁ ଋଣ ହାର ନିର୍ଦ୍ଧାରଣ ଲାଗି ଆଧାର ଭାବେ ଗ୍ରହଣ କରିବା ନିମନ୍ତେ ନିର୍ଦେଶ ଦିଆଯାଇଥିଲା । ଅଧିକାଂଶ ବ୍ୟାଙ୍କ ରେପୋକୁ ନିଜର ଏକ୍ସଟରନାଲ୍ ବେଞ୍ଚମାର୍କ ହାର ଭାବେ ଗ୍ରହଣ କରିଛନ୍ତି । ଗତ ସେପ୍ଟେମ୍ବର ୪ରେ ଏନେଇ ରିଜର୍ଭ ବ୍ୟାଙ୍କ ତରଫରୁ ସର୍କୁଲାର ଜାରି କରାଯାଇଥିଲା ।
ଏକ୍ସଟରନାଲ୍ ବେଞ୍ଚମାର୍କ ଭାବେ ରେପୋ ହାର, ୩ ମାସ କିମ୍ବା ୬ ମାସିଆ ଟ୍ରେଜେରି ବିଲ୍ର ରିଟର୍ଣ୍ଣ କିମ୍ବା ଫାଇନାନ୍ସିଆଲ୍ ବେଞ୍ଚମାର୍କ ଅଫ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ତରଫରୁ ଜାରି କରାଯାଉଥିବା ଯେକୌଣସି ହାର ମଧ୍ୟରୁ ଗୋଟିଏକୁ ଗ୍ରହଣ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲା । ଅଧିକାଂଶ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କର ରେପୋ ହାରକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ବର୍ତ୍ତମାନ ରେପୋ ହାର ୫.୪% ରହିଛି । ଏଥିରେ ଆଉ ଥରେ ହ୍ରାସ ହେବାର ସମ୍ଭାବନା ମଧ୍ୟ ଅଛି । କିଛି ବ୍ୟାଙ୍କ ପରବର୍ତ୍ତୀ ହ୍ରାସ ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି । ଚଳିତ ବର୍ଷ ଜାନୁଆରି ପରଠାରୁ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୧.୧୦% ହ୍ରାସ ଘୋଷଣା କରିଛନ୍ତି । କିନ୍ତୁ ବ୍ୟାଙ୍କଗୁଡ଼ିକର ଋଣ ସୁଧ ସେହି ହାର କମିନାହିଁ । ରିଜର୍ଭ ବ୍ୟାଙ୍କର ଆସନ୍ତା ମୁଦ୍ରାନୀତି ସମୀକ୍ଷା ଅକ୍ଟୋବର ୪ରେ ହେବ ।
ବିଶେଷ କରି ବ୍ୟକ୍ତିଗତ, ଖୁଚୁରା, ଘର, କାର୍ ଏବଂ ଏସ୍ଏମ୍ଇ ଋଣ ନେଇଥିବା ଗ୍ରାହକମାନେ ରେପୋ ଲିଙ୍କଡ୍ ସୁଧ ହାର ଦ୍ୱାରା ଲାଭାନ୍ୱିତ ହେବାର ସମ୍ଭାବନା ରହିଛି ।