ରାଷ୍ଟ୍ରପତି ନିର୍ବାଚନ : ଜିତିଲେ ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ନିର୍ବାଚନ : ଜିତିଲେ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନରେ ବାଜିମାତ କରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ତୃତୀୟ ରାଉଣ୍ଡରେ ସେ ନିର୍ବାଚନ ଜିତିବା ପାଇଁ ଆବଶ୍ୟକୀୟ ଭୋଟ ପାଇଛନ୍ତି । ଫଳରେ ଦ୍ରୌପଦୀଙ୍କ ବିଜୟ ନିଶ୍ଚିତ ହୋଇସାରଛି । ତେବେ ସବୁ ରାଉଣ୍ଡ ଭୋଟ ଗଣତି ପରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରାଯିବ । ତୃତୀୟ ରାଉଣ୍ଡ ସୁଦ୍ଧା ଦ୍ରୌପଦୀଙ୍କୁ ୫ ଲକ୍ଷ ୭୭୭୭ ଭୋଟ ମିଳିଛି । ଯାହାକି ବିଜୟ ପାଇଁ ଆବଶ୍ୟକୀୟ ସଂଖ୍ୟାଠାରୁ ଅଧିକା ।
ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ରାଉଣ୍ଡ ଫଳାଫଳ ବି ଦ୍ରୌପଦୀଙ୍କ ସପକ୍ଷରେ ଯାଇଥିଲା । ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ ନିଜର ପ୍ରତିପକ୍ଷ ଯଶୱନ୍ତ ସିହ୍ନାଙ୍କ ଠାରୁ ଢେ଼ର ଆଗରେ ରହିଛନ୍ତି । ଦ୍ୱିତୀୟ ରାଉଣ୍ଡରେ ୧୦ଟି ରାଜ୍ୟ ବିଧାନସଭାର ଫଳାଫଳ ଗଣତି ହୋଇଥିଲା । ୧୦ଟି ରାଜ୍ୟର ୧୧୩୮ ଖଣ୍ଡ ଭୋଟ ଗଣତି ହୋଇଛି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଦ୍ରୌପଦୀଙ୍କୁ ୪ ଲକ୍ଷ ୮୩ ହଜାର ୨୯୯ ଖଣ୍ଡ ଭୋଟ ମିଳିଛି ।
ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ରାଉଣ୍ଡର ଫଳାଫଳ ଅନୁସାରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ଖଣ୍ଡ ଭୋଟ ଓ ସିହ୍ନାଙ୍କୁ ୨୦୮ଟି ଭୋଟ ମିଳିଥିଲା । ଫଳରେ ଦ୍ରୌପଦୀ ପ୍ରଥମ ରାଉଣ୍ଡରେ ବହୁ ଆଗରେ ରହିଥିଲେ । ପ୍ରଥମ ରାଉଣ୍ଡରେ କେବଳ ସାଂସଦ ମାନଙ୍କ ଭୋଟ ଗଣତି ହୋଇଥିଲା । ୧୫ଟି ଭୋଟ ନାକଚ ହୋଇଥିଲା । ପ୍ରଥମ ରାଉଣ୍ଡ ଭୋଟ ଗଣତି ଫଳାଫଳ ଅନୁସାରେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ମୂଲ୍ୟ ୩ଲକ୍ଷ ୭୮ହଜାର ରହିଥିବାବେଳେ ଯଶୱନ୍ତ ସିହ୍ନାଙ୍କ ଭୋଟ ମୂଳ୍ୟ ୧ଲକ୍ଷ ୪୫ହଜାର ୬୦୦ରହିଥିଲା ।




admin 