ରାଜ୍ୟ ଯୋଜନାର ହିତାଧିକାରୀଙ୍କ ପାଇଁ ବି ଆଧାର
ରାଜ୍ୟ ଯୋଜନାର ହିତାଧିକାରୀଙ୍କ ପାଇଁ ବି ଆଧାର
admin
Nov 30, 2019 - 07:02
Updated: Nov 30, 2019 - 07:02
ୟୁଆଇଡିଏଆଇ ଜାରିକଲା ସର୍କୁଲାର
ନୂଆଦିଲ୍ଲୀ : ଆଧାର ଆଇନରେ କେନ୍ଦ୍ର ସରକାର ନିକଟରେ ସଂଶୋଧନ ଆଣିଛନ୍ତି । ସଂସଦରେ ଆଧାର ଓ ଅନ୍ୟାନ୍ୟ ଆଇନ (ସଂଶୋଧନ), ୨୦୧୯ ଗୃହୀତ ହେବା ପରେ ଚଳିତବର୍ଷ ଜୁଲାଇ ୨୪ ତାରିଖରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି । ସଂଶୋଧନ ପରେ ଆଧାର ଆଇନର ସେକ୍ସନ ୭ ବ୍ୟବହାର ସମ୍ପର୍କରେ ନିୟମାବଳୀ ଜାରି ହୋଇଛି । ମୂଳ ଆଇନର ସେକ୍ସନ ୭ରେ ଭାରତ ସରକାରଙ୍କ ସଂଗଠିତ ପାଣ୍ଠି ପରେ ରାଜ୍ୟ ସରକାରଙ୍କ ସଂଗଠିତ ପାଣ୍ଠିକୁ ସାମିଲ କରାଯାଇଛି । ଫଳରେ ରାଜ୍ୟ ସରକାରଙ୍କ ସଂଗଠିତ ପାଣ୍ଠିରୁ ଖର୍ଚ୍ଚ ହେଉଥିବା ଅର୍ଥରୁ ହିତାଧିକାରୀମାନେ ଯେଉଁ ସାମଗ୍ରୀ ଓ ସେବା ପାଉଛନ୍ତି ସେଥିପାଇଁ ଆଧାର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗ ପକ୍ଷରୁ ବିଭିନ୍ନ ସ୍କିମ୍ ବା ଯୋଜନା ପାଇଁ ଯେଭଳି ସେକ୍ସନ ୭ର ବ୍ୟବହାର କରାଯାଉଛି ରାଜ୍ୟ ସରକାରମାନେ ସେଭଳି କରିବାକୁ କୁହାଯାଇଛି । ଏଥିପାଇଁ କେଉଁ ଯୋଜନା ସବୁ ଆଧାର ଆଇନର ସେକ୍ସନ ୭ ପରିସରଭୁକ୍ତ ସେଗୁଡ଼ିକୁ ରାଜ୍ୟ ସରକାର ଚିହ୍ନଟ କରିବେ ।
ସୁପ୍ରିମକୋର୍ଟଙ୍କ ୨୦୧୮ ସେପ୍ଟେମ୍ବର ୨୬ ତାରିଖ ରାୟ ଆଧାରରେ ଏହା କରାଯିବ । ଯୋଜନାକୁ କାର୍ଯ୍ୟକାରୀ କରୁଥିବା ବିଭାଗ ଗୁଡ଼ିକ ପକ୍ଷରୁ କେଉଁସବୁ ଯୋଜନା ଆଧାର ପରିସରଭୁକ୍ତ ହେବ ତାହାର ଏକ ଚିଠା ପ୍ରସ୍ତୁତ କରାଯିବ । ଏହାପରେ ଆଇନ ବିଭାଗର ପରାମର୍ଶ ନିଆଯିବ । ଆଇନ ବିଭାଗର ପରାମର୍ଶ ପରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯିବ । ଶିଶୁ ହିତାଧିକାରୀ ଏବଂ ଶିଶୁ ବ୍ୟତୀତ ଅନ୍ୟ ବୟସର ହିତାଧିକାରୀଙ୍କ ପାଇଁ ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ନେଇ ୟୁଆଇଡିଏଆଇ (ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ) ପକ୍ଷରୁ ନିଦେ୍ର୍ଧଶନାମା ଜାରି କରାଯାଇଛି । ୟୁଆଇଡିଏଆଇର ୱେବସାଇଟ୍ରେ ଏହି ସର୍କୁଲାର ରହିଛି । ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ୟୁଆଇଡିଏଆଇ ଏହି ମର୍ମରେ ଚିଠି ପଠାଇଛି ।