ରବୀନ୍ଦ୍ର ଓ ପ୍ରତାପଙ୍କ ସହ ମଇଦାନରେ ନବାଗତ ନବଜ୍ୟୋତି
ରବୀନ୍ଦ୍ର ଓ ପ୍ରତାପଙ୍କ ସହ ମଇଦାନରେ ନବାଗତ ନବଜ୍ୟୋତି
admin
Apr 1, 2019 - 10:36
Updated: Apr 1, 2019 - 10:36
ବାଲେଶ୍ୱର:ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ବାଲେଶ୍ୱର ଲୋକସଭା ଆସନ ଉପରେ ଏବେ ରହିଛି ଜିଲ୍ଲାବାସୀଙ୍କ ନଜର । ରାଜନୀତି ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ବିଜେଡ଼ିର ହେବି ୱେଟ୍ ରବୀନ୍ଦ୍ର ଜେନା, ବିଜେପିର ପ୍ରତାପ ଷଡ଼ଙ୍ଗୀ ଓ କଂଗ୍ରେସର ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ।
ରବୀନ୍ଦ୍ର ଏବଂ ପ୍ରତାପ ଦୁଇଜଣ ଅଭିଜ୍ଞ ରାଜନେତା ହୋଇଥିବା ବେଳେ ତାଙ୍କ ସହ ନବଜ୍ୟୋତି କେତେ ମୁକାବିଲା କରିବେ ତାହା ଉପରେ ଏବେ ବାଲେଶ୍ୱର ଭୋଟରଙ୍କର ନଜର ରହିଛି । ବିଜେଡ଼ି ସାଂସଦ ରବୀନ୍ଦ୍ର ଜେନା ଗତ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କୁ ପରାସ୍ତ କରିଥିଲେ । ତେବେ ସାଂସଦଙ୍କ ନାମରେ ଚିଟଫଣ୍ଡ ଅଭିଯୋଗ ଆସିବା ପରେ ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ଶଙ୍କା ଦେଖାଦେଇଥିଲା । ଏହା ସତ୍ୱେ ମଧ୍ୟ ବିଜେଡ଼ି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପୁଣି ଥରେ ସାଂସଦ ପ୍ରାର୍ଥୀ କରିଛନ୍ତି । ଶ୍ରୀ ଜେନାଙ୍କ ବାଟରେ ଚିଟଫଣ୍ଡର ଅଭିଯୋଗ କଂଟା ସାଜିପାରେ ବୋଲି କୁହାଯାଉଛି ।
ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ ଜିଲ୍ଲାରେ ତାଙ୍କର ସଂଗଠନ ବଢ଼ାଇ ଚାଲିଛନ୍ତି । ବିଜେପି ପ୍ରତି ଏବେ ଜିଲ୍ଲାରେ ସମର୍ଥନ ବଢ଼ିବାରେ ଲାଗିଛି । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିୟୁ ଇଣ୍ଡିଆ ଭିଜନରେ ଏବେ ଯୁବପିଢ଼ୀମାନେ ସାମିଲ ହେବାରେ ଲାଗିଛନ୍ତି । ଲୋକସଭା ନିର୍ବାଚନ ମଣ୍ଡଳୀର ୭ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ବିଜେପିର କାୟା ବୃଦ୍ଧି ଘଟିଛି । ଯାହାକି ବିଜେଡ଼ି ପାଇଁ ଚିନ୍ତାର କାରଣ ପାଲଟିଛି ।
କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ନିର୍ବାଚନ ମଇଦାନକୁ ଅବତୀର୍ଣ୍ଣ ହୋଇଥିଲେ ହେଁ ତାଙ୍କ ପାଇଁ କଂଟା ସାଜିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଶ୍ରୀକାନ୍ତ ଏବେ ବାଲେଶ୍ୱର ବୁଲିବାରେ ଲାଗିଛନ୍ତି । ଯେହେତୁ ଶ୍ରୀ ଜେନା ବାଲେଶ୍ୱରରୁ ସାଂସଦ ଭାବେ ଜିତି କେନ୍ଦ୍ରର ମନ୍ତ୍ରୀ ହୋଇଥିଲେ ତାଙ୍କ ସମୟରେ ଜିଲ୍ଲାରେ ବିଭିନ୍ନ ଉନ୍ନତିମୂଳକ ହୋଇଛି । ତାଙ୍କର ମଧ୍ୟ ସେଠାରେ ସଂଗଠନ ରହିଛି । ତେଣୁ ନବଜ୍ୟୋତିଙ୍କ ସଂଗଠନରେ ଶ୍ରୀକାନ୍ତ କଂଟା ହୋଇପାରନ୍ତି ବୋଲି କଂଗ୍ରେସ ଶିବିରରେ ଆଲୋଚନା ହେଉଛି ।