ମୋଟା ପୁଲିସଙ୍କ ପେଟ କମେଇବା ପାଇଁ ପରେଡ଼ କରାଯିବ: କମିସନର
ମୋଟା ପୁଲିସଙ୍କ ପେଟ କମେଇବା ପାଇଁ ପରେଡ଼ କରାଯିବ: କମିସନର
admin
Jul 11, 2020 - 10:54
Updated: Jul 11, 2020 - 10:54
ଭୁବନେଶ୍ୱର: ସମ୍ପ୍ରତି କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟର ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆଗଧାଡ଼ିର ଯୋଦ୍ଧା ଭାବେ ପୁଲିସ କର୍ମଚାରୀ ନିଜକୁ ଫିଟ ରଖିବାକୁ ହେବ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ନଥିଲେ କରୋନା ଭଳି ଭୂତାଣୁର ଶିକାର ହେଲେ ମଣିଷ ମୃତ୍ୟୁ ମୁଖରେ ପଡ଼ିବ । ତେଣୁ ବର୍ତ୍ତମାନ ସମୟରେ ଆଉ ଆରାମଦାୟକ ଜୀବନ ବିତାଇବା ପରିବର୍ତ୍ତେ କର୍ମଠ ହେବାକୁ ପଡ଼ିବ । ଖାଦ୍ୟଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ବରିଷ୍ଠ ଅଧିକାରୀମାନେ ମତ ଦେଇଛନ୍ତି । ରାଜ୍ୟ ପୁଲିସ ବାହିନୀରେ ପ୍ରାୟ ୨୦ ପ୍ରତିଶତ କର୍ମଚାରୀ ଅଧିକ ଓଜନ ଥିବା ଜଣାପଡ଼ିଛି ।
୨୦୦୫ରେ ତତ୍କାଳୀନ ପୁଲିସ ମହାନିର୍ଦ୍ଦେଶକ ପୁଲିସ ବାହିନୀରେ ମେଦବହୁଳ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକଟ କରିବା ସହିତ ଏକ ସର୍କୁଲାର ଜାରି କରିଥିଲେ । ଯେଉଁ ମୋଟା ଓ ପେଟୁଆ ପୁଲିସ କର୍ମଚାରୀ ବା ଅଧିକାରୀ ଥାନାରେ ଏବଂ ଟ୍ରାଫିକରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କର । ତେବେ ସେତେବେଳେ ପୁଲିସ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ରଙ୍କର ଏଭଳି ସର୍କୁଲାର ବିଭାଗରେ ଅନେକ ହଇଚଇ ସୃଷ୍ଟି କରିଥିଲା । ସେ ସମୟର ଆକଳନ ଅନୁସାରେ ପୁଲିସ ବାହିନୀର ପ୍ରାୟ ୩୦ ପ୍ରତିଶତ କର୍ମଚାରୀଙ୍କ ଓଜନ ଅଧିକ ଥିଲା ବୋଲି ପୂର୍ବତନ ଡିଜି ଶ୍ରୀ ମିଶ୍ର କହିଛନ୍ତି । ସେତେବେଳେ ପୁଲିସ କର୍ମଚାରୀମାନେ ଜିମ ଯିବା ସହିତ ଧାଁ ଦୌଡ଼ ଆରମ୍ଭ କରିଦେଇଥିଲେ । ଓଡ଼ିଶା ପୁଲିସ ବାହିନୀରେ ଏହି ସର୍କୁଲାରକୁ ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଭଳି ରାଜ୍ୟ ସରକାର କାର୍ଯ୍ୟକାରୀ କଲେ । ଅଧିକାଂଶ ସମୟରେ ପୁଲିସ କର୍ମଚାରୀ ହୃଦଘାତର ଶିକାର ହେଉଛନ୍ତି । ସମୟ ମିଳିଲେ ପୁଲିସ କର୍ମଚାରୀମାନେ ନିଜ କର୍ମସ୍ଥଳରେ ମଧ୍ୟ ଯୋଗ ଆଦି କରି ସ୍ୱାସ୍ଥ୍ୟକୁ ଜଗି ପାରିବେ ବୋଲି ସେ ମତ ଦେଇଛନ୍ତି । ବର୍ତ୍ତମାନ ମୋଟା ପୁଲିସ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇଛି । ଅନେକ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୋଇପଡ଼ିଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପୁଲିସର କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପୁଲିସ କମିଶନର ଡ.ସୁଧାଂଶୁ ଷଡଙ୍ଗୀ ଚିନ୍ତା ବ୍ୟକ୍ତ କରିଛନ୍ତି । କମିଶନରେଟ ପୁଲିସର ବର୍ତ୍ତମାନ ପର୍ଯ୍ୟନ୍ତ ୩ ଜଣ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇସାରିଲେଣି । ମଙ୍ଗଳବାଗ ଥାନାର କିଛି କର୍ମଚାରୀ ସଂକ୍ରମଣ ଆଶଙ୍କାରେ ଏବେ ସଙ୍ଗରୋଧରେ ଅଛନ୍ତି । ଏସସିବି ହସ୍ପିଟାଲ ଫାଣ୍ଡିରେ କାର୍ଯ୍ୟରତ କର୍ମଚାରୀ ବ୍ୟବଚ୍ଛେଦ ଗୃହକୁ ଯିବା ସମୟରେ ନଚେତ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରୁ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ତେଣୁ କମିସନରେଟରେ କାର୍ଯ୍ୟରତ ୮୦୦୦ କର୍ମଚାରୀଙ୍କୁ ଧାର୍ଯ୍ୟ ନିୟମ ଅନୁସାରେ ନିଜର ଓଜନ କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ ମାସ ମଧ୍ୟରେ ନିଜକୁ ଫିଟ୍ ନ ରଖିଲେ ସେମାନଙ୍କୁ ପରେଡ କରାଯିବ ବୋଲି ପୁଲିସ କମିଶନର ଡ.ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଓଡ଼ିଶା ପୁଲିସ ମୋଟା ଓ ମେଦବହୁଳ କର୍ମଚାରୀଙ୍କୁ ପଦୋନ୍ନତି ନ ଦେବା ଲାଗି ଚିନ୍ତା କରୁଥିବା ସେ କହିଛନ୍ତି ।