ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିଜେଡି ବିଧାୟକ
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିଜେଡି ବିଧାୟକ
admin
Mar 18, 2021 - 07:02
Updated: Mar 18, 2021 - 07:02
ଭୁବନେଶ୍ୱର: ବିଜେଡିର ବିଧାୟକ ମାନେ ଲୋକସେବା ଭବନ ଅଭିମୁଖେ ଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ଆପତି ଜଣାଇଛନ୍ତି । ବିଜେଡି ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଛନ୍ତି । ଆମେ ୫୦ ରୁ ଅଧିକ ବିଧାୟକ ଲୋକସେବା ଭବନ ଯାଇଥିଲୁ । ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଆପତି ଜଣାଇଲୁ । ଅଚଳାବସ୍ଥା ଦୂର ହୋଇ କିପରି ସ୍ୱାଭାବିକ ଅବସ୍ଥା ଫେରିବ ଆଲୋଚନା କଲୁ । ମୁଖ୍ୟମନ୍ତ୍ରୀ ଗୃହର ସର୍ବେସର୍ବା, ଏନେଇ ସେ ବିହିତ ପଦକ୍ଷେପ ନେବେ । ଭିସିରେ ଆଲୋଚନା ପରେ ବିଜେଡି ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଛନ୍ତି ।
ପ୍ରକାଶଯେ, ଲଗାତାର ୬ ଦିନ ପାଇଁ ଗୃହରେ ସମାନ ସ୍ଥିତି । ବିଧାନସଭାରେ ଉଭୟ ଶାସକ-ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୨ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ଗୃହର ମଧ୍ୟଭାଗରେ ଜୋରଦାର ହଟ୍ଟଗୋଳ କରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ ପାଇଁ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବି କରି ଗୃହରେ ପ୍ରତିବାଦ କରିଛନ୍ତି ଶାସକ ଦଳର ବିଧାୟକ । ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଯୋଗୁଁ ଲଗାତାର ୬ ଦିନ ପାଇଁ ଗୃହକାର୍ୟ୍ୟ ସ୍ୱାଭାବିକ ହୋଇପାରୁନି ।
ଏସବୁ ଭିତରେ ବିଜେଡିର ବିଧାୟକ ମାନେ ଲୋକସେବା ଭବନ ଅଭିମୁଖେ ଯାତ୍ରା କରିଥିଲେ । ଯେଉଁଠି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୂରା ପ୍ରସଙ୍ଗରେ ଆଲୋଚନା କରିଥିଲେ ବିଜେଡି ବିଧାୟକ । ଗତକାଲି ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କୁ ଭେଟି ଫେରାଦ ହୋଇଥିଲେ ବିଜେଡି ବିଧାୟକ । ଗୋଟିଏ ପଟେ ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ବାରମ୍ବାର ସର୍ବଦଳୀୟ ବୈଠକ ଡାକି ଗୃହକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଯାଏଁ କୌଣସି ସମାଧାନର ସୂତ୍ର ବାହାରିନାହିଁ । ଉଭୟ ଶାସକ-ବିରୋଧୀ ନିଜ ଜିଦରେ ଅଟଳ ରହିବା କାରଣରୁ ଦ୍ୱିତୀୟ ପର୍ୟ୍ୟାୟର ଷଷ୍ଠ ଦିନରେ ମଧ୍ୟ ଗୃହ କାର୍ୟ୍ୟ ଏଯାଏଁ ଚାଲିପାରିନି ।