ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ ବର୍ଷା
ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ ବର୍ଷା
ଭୁବନେଶ୍ୱର: ବିଜୟୀ ହେବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି ବର୍ଷା ସିଂ ବରିହା । ନବ ନିର୍ବାଚିତା ପଦମପୁର ବିଧାୟିକା ବର୍ଷା ସିଂ ବରିହା ଆଜି ଭୁବନେଶ୍ୱରସ୍ଥିତ ଶାଶୂ ଘରକୁ ଆସି ଶାଶୂ-ଶଶ୍ୱୁରଙ୍କ ଆଶୀର୍ବାଦ ନେଇଥିଲେ । ପରେ ସେ ନବୀନ ନିବାସ ଅଭିମୁଖେ ଗସ୍ତ କରିଥିଲେ । ନବୀନ ନିବାସ ବାହାରେ ବିଜେଡିର ଅନେକ ତୁଙ୍ଗ ନେତା ବର୍ଷାଙ୍କୁ ପୁଷ୍ପ ଗୁଛ ଦେଇ ଶୁଭେଛା ଓ ସ୍ୱାଗତ କରିଥିଲେ । ପରେ ବର୍ଷା ସିଂ ବରିହା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଥିଲେ । ଏଥି ସହିତ ପଦମପୁରର ବିକାଶ ନିମନ୍ତେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ବିଶେଷ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ମାଧ୍ୟମରେ ବର୍ଷାଙ୍କୁ ଶୁଭେଛା ଜଣାଇବା ସହ ବର୍ଷାଙ୍କୁ ମିଥ୍ୟା ଅପବାଦ ଦେଇଥିବା ବିରୋଧୀ ଶିବିରକୁ କଡା ଜବାବ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ନିଜେ ଖୁବ କମ୍ ଦିନ ମଧ୍ୟରେ ପଦମପୁର ଗସ୍ତ କରିବେ ବୋଲି ଘୋଷଣା କରିଥିଲେ । ଏଥି ସହିତ ମହିଳା ମାନଙ୍କୁ ସମ୍ମାନ ଦେଇ ଗଣତାନ୍ତ୍ରିକ ମହା ପର୍ବରେ ସାମିଲ କରିବାକୁ ବିଜେଡି ଯେପରି ସୁଯୋଗ ଦେଇଥିଲା, ତାହା ଉଲ୍ଲେଖନୀୟ ବୋଲି କହିଥିଲେ । କିନ୍ତୁ ବିରୋଧ ଦଳ ଯେପରି ଜଣେ ମହିଳାଙ୍କୁ ବାରମ୍ବାର ଅପପ୍ରଚାର ମାଧ୍ୟମରେ କଷ୍ଟ ଓ ଲାଞ୍ଛନା ଦେଇଥିଲା ତାହା ଗଣତନ୍ତ୍ରରେ ସ୍ପୃହଣୀୟ ନୁହେଁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟପଟେ ବର୍ଷା ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଭିକ୍ଷା ପାଇଁ ଯାଇଥିବାବେଳେ ସାଥିରେ ମନ୍ତ୍ରୀ ରୀତା ସାହୁ, ଟୁକୁନି ସାହୁ, ସୁଶାନ୍ତ ସିଂ ଏବଂ ସ୍ନେହାଙ୍ଗିନୀ ଛୁରିଆ ଥିଲେ ।




admin 