ମୁଖ୍ୟ ବିଚାରପତିଙ୍କ ବଦଳି ପାଇଁ ସୁପାରିଶ

ମୁଖ୍ୟ ବିଚାରପତିଙ୍କ ବଦଳି ପାଇଁ ସୁପାରିଶ

ମୁଖ୍ୟ ବିଚାରପତିଙ୍କ ବଦଳି ପାଇଁ ସୁପାରିଶ

କଟକ: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ. ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିଶ କରାଯାଇଛି।  ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମ ବୈଠକରେ ଏ ସଂପର୍କିତ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ୨୦୨୧, ଜାନୁଆରି ୪ରେ ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଶପଥ ଗ୍ରହଣ କରିଥିଲେ।୧୯୮୪ରେ ସେ ଚେନ୍ନାଇରେ ଓକିଲାତି ଆରମ୍ଭ କରିଥିଲେ। ଏହାପରେ ସେ ୧୯୮୭ରେ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ୟ୍ୟ ଆରମ୍ଭ କରିଥିଲେ। ସେ ସୁପ୍ରିମକୋର୍ଟ ଆଇନସେବା କମିଟି ପକ୍ଷରୁ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରିଥିଲେ। ଭୋପାଳ ଗ୍ୟାସ୍ ଘଟଣାର ପୀଡିତ ଓ ନର୍ମଦା ଡ୍ୟାମ୍ ବିସ୍ଥାପିତଙ୍କ ସମସ୍ୟା ସଂପର୍କିତ ମାମଲାର ପରିଚାଳନା କରିଥିଲେ। ବହୁ ଜନସ୍ବାର୍ଥ ଆବେଦନ ଓ ମୃତ୍ୟୁ ଦଣ୍ଡ ସଂପର୍କିତ ମାମଲାରେ ତାଙ୍କୁ ସୁପ୍ରିମକୋର୍ଟ ଆମିକସ୍ କ୍ୟୁରି ଭାବେ ନିଯୁକ୍ତି ଦେଇଥିଲେ। ସେ ଜାତୀୟ ମାନବାଧିକାର କମିସନ୍ ଓ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ମଧ୍ୟ ମାମଲା ପରିଚାଳନା କରୁଥିଲେ।
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କ କାର୍ୟ୍ୟକାଳ ଭିତରେ ପ୍ରଥମ ଥର ପାଇଁ ପେପରଲେସ୍ କୋର୍ଟ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ହାଇକୋର୍ଟର ପ୍ରଥମ ପେପରଲେସ୍ କୋର୍ଟ ହେଉଛି ମୁଖ୍ୟବିଚାରପତିଙ୍କ କୋର୍ଟ। ଏହାପରେ ହାଇକୋର୍ଟର ଅନ୍ୟ କେତେକ ଖଣ୍ଡପୀଠ ମଧ୍ୟ ପେପରଲେସ୍ ହୋଇଛି। ପରବର୍ତ୍ତୀ ସମୟରେ ୩୦ଟି ଜିଲ୍ଲାରେ ନିର୍ଦ୍ଦିଷ୍ଟ କେତେକ କୋର୍ଟ ପେପରଲେସ୍ ବ୍ୟବସ୍ଥାରେ କାର୍ୟ୍ୟ କରୁଛନ୍ତି।  ୨୦୨୧, ଏପ୍ରିଲ ୫ରେ ଇ-ଫାଇଲିଂ ୱେବ ପୋର୍ଟାଲ ଆରମ୍ଭ କରାଯାଇଥିଲା। କେନ୍ଦ୍ର, ରାଜ୍ୟ ସରକାର ଓ ସେମାନଙ୍କ ସଂସ୍ଥା ଗୁଡିକ ପାଇଁ ଇ-ଫାଇଲିଂ ହାଇକୋର୍ଟରେ ବାଧ୍ୟତାମୂଳକ କରାଯାଇଥିଲା। କୋର୍ଟ ଫି ଦାଖଲର ଇ-ପେମେଣ୍ଟ ପାଇଁ ପୋର୍ଟାଲ ଆରମ୍ଭ କରାଯାଇଥିଲା। ଇ-ଫାଇଲିଂ, ଇ-ପେମେଣ୍ଟ ବ୍ୟବସ୍ଥା ବ୍ୟବହାର ପାଇଁ ହାଇକୋର୍ଟ ଓ ଜିଲ୍ଲା ଅଦାଲତର ଆଇନଜୀବୀଙ୍କ ପାଇଁ କର୍ମଶାଳା ଆୟୋଜନ କରାଯାଇଥିଲା।  ସେହିଭଳି ଭାବେ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ହେଉଥିବା ମାମଲା ଶୁଣାଣିର ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ) ହାଇକୋର୍ଟଙ୍କ ଅଫିସିଆଲ ୟୁଟ୍ୟୁବ୍‌ ଚାନେଲରେ ୨୦୨୧, ଅଗଷ୍ଟ ୨ରୁ ଆରମ୍ଭ ହୋଇଥିଲା। ହାଇକୋର୍ଟ ରେକର୍ଡ ସଂରକ୍ଷଣ ପାଇଁ ରେକର୍ଡ ଡିଜିଟାଇଜେସନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।  ‌