ମାସିକ ୪୨ ଟଙ୍କାରେ ମିଳିବ ପେନସନ୍, ଜାଣନ୍ତୁ କେମିତି

ମାସିକ ୪୨ ଟଙ୍କାରେ ମିଳିବ ପେନସନ୍, ଜାଣନ୍ତୁ କେମିତି

ମାସିକ ୪୨ ଟଙ୍କାରେ ମିଳିବ ପେନସନ୍, ଜାଣନ୍ତୁ କେମିତି
ନୂଆଦିଲ୍ଲୀ: ଅବସର ପରେ ରୋଜଗାର ଚିନ୍ତା ଅନେକ ଲୋକଙ୍କୁ ଘାରିଥାଏ। ସମସ୍ତେ ଚାକିରି କରି ନଥିବାରୁ ଏବଂ ଏପରିକି ଚାକିରି କରିଥିବା ବ୍ୟକ୍ତିମାନଙ୍କ ପାଇଁ ପେନସନ ସୁବିଧା ନଥିବାରୁ ଲୋକମାନେ ବୃଦ୍ଧାବସ୍ଥାରେ କିଭଳି ଚଳିବେ ତାହାକୁ ନେଇ ଚିନ୍ତିତ ଥାନ୍ତି। ତେବେ ଏହି ସମସ୍ୟାର ସମାଧାନ ପାଇଁ ଯୋଜନା ରହିଛି। ମାସିକ ମାତ୍ର ୪୨ ଟଙ୍କା ନିବେଶ କରି ଜଣେ ୬୦ ବର୍ଷ ପରେ ମାସିକ ପେନସନ ପାଇପାରିବେ। ତେବେ ସମ୍ପୃକ୍ତ ବ୍ୟକ୍ତି ୧୮ ବର୍ଷ ବୟସରୁ ମାସିକ ଏହି ରାଶି ନିବେଶ କରିବାକୁ ହେବ। ଅଟଳ ପେନସନ ଯୋଜନାରେ ଲୋକଙ୍କୁ ଏହି ସୁବିଧା ମିଳୁଛି। ବୟସ ବଢ଼ିଲେ ନିବେଶ ରାଶି ବଢ଼ିଯିବ। ପେନସନ ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ପିଏଫଆରଡିଏ)ର ସୂଚନା ଅନୁଯାୟୀ ଅଟଳ ପେନସନ ଯୋଜନାରେ ସାମିଲ ହୋଇଥିବା ଲୋକଙ୍କ ସଂଖ୍ୟା ଅଢେ଼ଇ କୋଟି ପାଖାପାଖି ପହଞ୍ଚିଲାଣି। ୨୦୧୯ ଅକ୍ଟୋବର ଶେଷ ସୁଦ୍ଧା ଏହି ଯୋଜନାରେ ସାମିଲ ହୋଇଥିବା ଲୋକଙ୍କ ସଂଖ୍ୟା ୧.୮୨ କୋଟି ଥିବା ବେଳେ ଚଳିତ ଅକ୍ଟୋବରରେ ଏହା ୨.୪୫ କୋଟିରେ ପହଞ୍ଚିଛି । ଉକ୍ତ ଯୋଜନାରେ ଭାରତର ୧୮ ବର୍ଷରୁ ୪୦ ବର୍ଷ ପର୍ୟ୍ୟନ୍ତ ବ୍ୟକ୍ତି ସାମିଲ ହୋଇପାରିବେ। ଯୋଜନାରେ ସର୍ବନିମ୍ନ ୨୦ ବର୍ଷ ନିବେଶ କରିବାକୁ ହେବ । ଜଣେ ୧୮ ବର୍ଷ ବ୍ୟକ୍ତିର ମାସିକ ଯଦି ୪୨ ଟଙ୍କା ନିବେଶ କରନ୍ତି ତା ହେଲେ ତାଙ୍କୁ ୬୦ ବର୍ଷ ପରେ ଯେଭଳି ୧୦୦୦ ଟଙ୍କାର ପେନସନ ମିଳିବ ସେହିପରି ୮୪ ଟଙ୍କା ନିବେଶରେ ମାସିକ ୨୦୦୦ ଟଙ୍କା, ୧୨୬ ଟଙ୍କା ନିବେଶରେ ମାସିକ ୩୦୦୦ ଟଙ୍କା, ୧୬୮ ଟଙ୍କା ନିବେଶରେ ୪ ହଜାର ଟଙ୍କା ଏବଂ ୨୧୦ ଟଙ୍କା ନିବେଶରେ ମାସକୁ ୫ ହଜାର ଟଙ୍କା ପେନସନ ମିଳିବା ସୁବିଧା ରହିଛି । ବୟସ ବଢ଼ିଲେ ନିବେଶ ରାଶି ବଢ଼ିବ। ଆବେଦନ ସମୟରେ ଜଣେ ବ୍ୟକ୍ତି ପେନସନ କେତେ ଆବଶ୍ୟକ କରୁଛନ୍ତି ସେହି ଅନୁସାରେ ନିବେଶକୁ ଚୟନ କରିବେ। ଉକ୍ତ ଯୋଜନାରେ ସାମିଲ ହେବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କର ବ୍ୟାଙ୍କ କିମ୍ବା ଡାକ ଘରେ ସଞ୍ଚୟ ଖାତା ଥିବା ଆବଶ୍ୟକ। ଏହି ଯୋଜନାର ଅନ୍ୟ ସୁବିଧା ହେଲା ନିବେଶ କରୁଥିବା ବ୍ୟକ୍ତି ମୃତୁ୍ୟ ପରେ ତାଙ୍କ ପତି / ପତ୍ନୀଙ୍କୁ ମଧ୍ୟ ପେନସନ ସୁବିଧା ରହିଛି। କେବଳ ସେତିକି ନୁହେଁ, ଉଭୟଙ୍କ ମୃତୁ୍ୟ ପରେ ପେନସନ ପାଣ୍ଠିରେ ଜମା ହୋଇଥିବା ରାଶିକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ନୋମିନିଙ୍କୁ ପ୍ରଦାନ କରାଯିବ। ୨୦୧୫ ଜୁନରେ ଦେଶବ୍ୟାପୀ ଏହି ଯୋଜନା ଆରମ୍ଭ ହୋଇଛି।