୨୦୧୯ରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୩ଗୁଣା(୧୮୦୦ କୋଟି) ବୃଦ୍ଧି
୨୦୧୯ରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୩ଗୁଣା(୧୮୦୦ କୋଟି) ବୃଦ୍ଧି
admin
Dec 26, 2019 - 03:24
Updated: Dec 26, 2019 - 03:24
ନୂଆଦିଲ୍ଲୀ - କେବଳ ଭାରତ ନୁହେଁ, ଏସିଆ ମହାଦେଶର ସବୁଠାରୁ ବିତ୍ତଶାଳୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପାଇଁ ୨୦୧୯ ବର୍ଷ ସଫଳତାର ବର୍ଷ ଭାବେ ପ୍ରତିପାଦିତ ହୋଇଛ। ସଂପ୍ରତି ଭାରତରେ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ବିଭିନ୍ନ ଶିଳ୍ପକ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ଏହି ବର୍ଷରେ ମୁକେଶଙ୍କ ସମ୍ପତ୍ତିରେ ପୁଣି ଯୋଡ଼ି ହୋଇଛି ୧୮୦୦ କୋଟି ଡଲାର। ୨୦୧୯ରେ ମୁକେଶ ଅମ୍ବାନୀ ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିଃର ଶେୟାର ମୂଲ୍ୟରେ ଅନ୍ୟୂନ ୪୦ ପ୍ରତିଶତ ବୃଦ୍ଧି ଘଟିଥିବାରୁ ତାଙ୍କୁ ଏହି ସଫଳତା ମିଳିଛି।
ଏପରିକି ବିଶ୍ୱର ଅନ୍ୟ ଦୁଇ ପ୍ରତିପତିଶାଳୀ ଉଦ୍ୟୋଗପତି ଆଲିବାବା ଗ୍ରୁପ୍ ପ୍ରତିଷ୍ଠାତା ଜ୍ୟାକ୍ ମା ଏବଂ ଆମାଜନ୍ ମୁଖ୍ୟ ଜେଫ୍ ବେଜୋସଙ୍କ ତୁଳନାରେ ମଧ୍ୟ ମୁକେଶ ଆଗୁଆ ରହିଛନ୍ତି। ଏହି ବର୍ଷରେ ଜ୍ୟାକଙ୍କ ସମ୍ପତ୍ତିରେ୧୧୦୦ କୋଟି ଡଲାର ବୃଦ୍ଧି ଘଟିଥିବା ବେଳେ ଜେଫ୍ ବେଜୋସଙ୍କ ସମ୍ପତ୍ତିରେ ୧୩୬୦ କୋଟି ଡଲାର ବୃଦ୍ଧି ଘଟିଛି ବୋଲି ବ୍ଲମବର୍ଗ ବିଲିୟନାରିଜ୍ ଇଣ୍ଡେକ୍ସ ପକ୍ଷରୁ କୁହାଯାଇଛି। ମୁକେଶଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୬୧୯୦ କୋଟି ଡଲାରରେ ପହଞ୍ଚିଛି । ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ବ୍ୟବସାୟ ପେଟ୍ରୋଲିୟମ ଉପରେ କେନ୍ଦ୍ରିତ ହୋଇଥିଲା ବେଳେ ଗତ କିଛି ବର୍ଷ ମଧ୍ୟରେ ଟେଲିକମ୍ ଏବଂ ରିଟେଲ ବ୍ୟବସାୟ କ୍ଷେତ୍ରରେ ଏହି ବ୍ୟବସାୟିକ ଗୋଷ୍ଠୀକୁ ବହୁ ସଫଳତା ମିଳିଛି।
ମାତ୍ର ଗୋଟିଏ ବର୍ଷରେ କମ୍ପାନୀର ଶେୟାର ମୂଲ୍ୟରେ ୪୦ ପ୍ରତିଶତ ବୃଦ୍ଧି ଘଟିବା ଉଲ୍ଲେଖନୀୟ ସଫଳତା ଭାବେ ବିଚାର କରାଯାଇଛି। କେବଳ ସେତିକି ନୁହେଁ, ୨୦୧୬ ପରେ କମ୍ପାନୀର ଶେୟାର ମୂଲ୍ୟରେ ଅନ୍ୟୂନ ୩ ଗୁଣ ବୃଦ୍ଧି ଘଟିଛି। ରିଲାଏନ୍ସ ଜିଓ ବର୍ତ୍ତମାନ ଭାରତର ଏକ ନମ୍ବର ଟେଲିକମ୍ କମ୍ପାନୀ ଭାବେ ପ୍ରତିଷ୍ଠାଲାଭ କରିବାକୁ ଯାଉଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଖୁବଶୀଘ୍ର ଇ-କମର୍ସ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛି। ଏହାବ୍ୟତୀତ ୨୦୨୧ ସୁଦ୍ଧା କମ୍ପାନୀକୁ ସମ୍ପୂର୍ଣ୍ଣ ଋଣମୁକ୍ତ କମ୍ପାନୀ ଭାବେ ପ୍ରତିଷ୍ଠା କରିବାକୁ ମଧ୍ୟ ମୁକେଶ ଉଦ୍ୟମ ଜାରି ରଖିଛନ୍ତି। ଗତ ମାର୍ଚ୍ଚ ଶେଷ ସୁଦ୍ଧା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ଋଣ ପରିମାଣ ୧ ଲକ୍ଷ ୫୪ ହଜାର କୋଟି ଟଙ୍କା ରହିଥିଲଶ ବୋଲି ମୁକେଶ ଗତ ଅଗଷ୍ଟ ମାସରେ ତାଙ୍କର ଅଂଶୀଦାରମାନଙ୍କୁ ସୂଚନା ଦେଇ କହିଥିଲେ।