ମହାପ୍ରଭୁଙ୍କ ଦର୍ଶନ ପାଇଁ ପାଦରେ ଚାଲିଲେ ୩୭୦ କିଲୋମିଟର

ମହାପ୍ରଭୁଙ୍କ ଦର୍ଶନ ପାଇଁ ପାଦରେ ଚାଲିଲେ ୩୭୦ କିଲୋମିଟର

ମହାପ୍ରଭୁଙ୍କ ଦର୍ଶନ ପାଇଁ ପାଦରେ ଚାଲିଲେ ୩୭୦ କିଲୋମିଟର

ପୁରୀ : ମହାପ୍ରଭୁଙ୍କ ପ୍ରତି ଅଗାଢ଼ ବିଶ୍ୱାସ, ଭକ୍ତିଭାବ ତଥା ଭଲ ପାଇବା ଥିଲେ ଅସାଧ୍ୟ ସାଧନ ପାଇଁ ଇଚ୍ଛାଶକ୍ତି ତଥା ସାହସ ମନରେ ଭରିଦିଏ । ଏହା ପ୍ରମାଣିତ କରି ଦେଖାଇଛନ୍ତି ସମ୍ବଲପୁରର ବିଲଡର ପ୍ରମୋଦ ରାଠି(୫୧) । ମହାପ୍ରଭୁଙ୍କ ଦର୍ଶନର କରିବାର ଇଚ୍ଛା ରଖି ସେ ସମ୍ବଲପୁରରୁ ଚାଲି ଚାଲି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି । କୋଭିଡ କଟକଣା ପାଇଁ ମହାପ୍ରଭୁଙ୍କ ଦର୍ଶନ କରି ପାରିନଥିଲେ ବି ପତିତପାବନକୁ ଦର୍ଶନ କରି ଆଶୀର୍ବାଦ ନେଇ ଫେରିଛନ୍ତି । ଏହି ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଫୁଲମାଳ ଦେଇ ତାଙ୍କୁ ସ୍ୱାଗତ କରାଯାଇଛି । ପ୍ରମୋଦଙ୍କ ଘର ସମ୍ବଲପରୁର କ୍ଷେତରାଜପୁରରେ । ପେସାରେ ସେ ଜଣେ ବ୍ୟବସାୟୀ । ବିଲଡର ଭାବେ ଦୀର୍ଘ ଦିନ ଧରି କାମ କରି ଆସୁଛନ୍ତି । ସେ ଶ୍ରୀଜଗନ୍ନାଥଙ୍କୁ ବହୁତ ଭଲ ପାଆନ୍ତି । ହଠାତ ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରିବାର ଇଚ୍ଛା ତାଙ୍କ ମନରେ ଜନ୍ମିଥିଲା । ଏଥିପାଇଁ ଜୁଲାଇ ୧ରୁ ନିଜ ସହଯୋଗୀ ଦିନେଶ ସିଂଘାଣିଆଙ୍କ ସହ ସମ୍ବଲପୁର ସହରରୁ ଚାଲିବା ଆରମ୍ଭ କରିଥିଲେ ପ୍ରମୋଦ । ଦିନେଶ ଚାଲି ଚାଲି ଆସିନଥିଲେ ବି ପ୍ରମୋଦ ଚାଲି ଚାଲି ଆସିବା ସମୟରେ ସୁବିଧା ଅସୁବିଧା କଥା ବୁଝୁଥିଲେ । ଏ ଭିତରେ ଅନେକ ଘାତ ପ୍ରତିଘାତ ବି ପ୍ରମୋଦ ସହିଛନ୍ତି । ରାତିରେ ଯେଉଁଠି ପାଇଛନ୍ତି, ସେଠି ବିଶ୍ରାମ ନେଇଛନ୍ତି । ପ୍ରାୟ ୩୭୦ କିଲୋମିଟର ଅତିକ୍ରାନ୍ତ କରିବା ପରେ ୯ ଦିନରେ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ପ୍ରମୋଦ ଅନେକ ଖୁସି ବ୍ୟକ୍ତ କରିଛନ୍ତି । ମହାପ୍ରଭୁଙ୍କ ସାଷ୍ଠାଙ୍ଗ ପ୍ରଣାମ କରି ଆଶୀର୍ବାଦ ନେଇଛନ୍ତି । ମହାପ୍ରଭୁଙ୍କ ପ୍ରତି ଥିବା ଭକ୍ତିଭାବ ତାଙ୍କ କଷ୍ଟକୁ ଦୂର କରି ଦେଇଛି । ଏତେ ବାଟ ଚାଲି ଚାଲି ଆସିଥିଲେ ବି ତାଙ୍କୁ ବାଟରେ ସେଭଳି କିଛି କଷ୍ଟ ଲାଗିନି ବୋଲି କହିଛନ୍ତି ପ୍ରମୋଦ ।