ମହଙ୍ଗା ହେଲା ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର, ଲାଗୁ ହେଲା ୧୮ ପ୍ରତିଶତ ଜିଏସଟି
ମହଙ୍ଗା ହେଲା ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର, ଲାଗୁ ହେଲା ୧୮ ପ୍ରତିଶତ ଜିଏସଟି
admin
Mar 15, 2020 - 09:49
Updated: Mar 15, 2020 - 09:49
ଭୁବନେଶ୍ୱର: ଗାଡ଼ିଗୁଡ଼ିକ ପାଇଁ ଆବଶ୍ୟକ ପଡ଼ୁଥିବା ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର (ପିୟୁସି) ଏଣିକି ମହଙ୍ଗା ହେବ । ଗ୍ରାହକଙ୍କୁ ଏବେ ପୁନ ନିର୍ଦ୍ଧାରିତ ଦର ଉପରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ । ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଏହି ନିୟମ ଲାଗୁ କରାଯିବ । ଏ ନେଇ ପରିବହନ କମିସନର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁ ଟେଷ୍ଟିଂ ସେଣ୍ଟର ଜିଏସଟି ପଞ୍ଜୀକୃତ ହୋଇନଥିବ, ସେମାନେ ପିୟୁସି ପ୍ରମାଣ ପତ୍ର ଦେଇପାରିବେ ନାହିଁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ‘ବାହନ’ ପୋର୍ଟାଲରେ ସେମାନେ ଜିଏସଟି ପଞ୍ଜୀକରଣ ବାବଦରେ ସମସ୍ତ ତଥ୍ୟ ଅପଲୋଡ଼ କରିବେ । ଏହି ପ୍ରକ୍ରିୟା ଶେଷ ହୋଇଥିବା ସମ୍ପୃକ୍ତ ଆରଟିଓମାନେ ନିଶ୍ଚିତ ହେବା ପରେ ସେହି କେନ୍ଦ୍ରଗୁଡ଼ିକୁ ଅନୁମତି ପ୍ରଦାନ କରିବେ । ଆରଟିଓଙ୍କ ଅନୁମତି ପାଇବା ପରେ କେନ୍ଦ୍ରଗୁଡ଼ିକ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ଯୋଗ୍ୟ ବିବେଚିତ ହେବେ ।
ପୂର୍ବରୁ ଏ ନେଇ ସିଟି (ବାଣିଜ୍ୟ କର) ଓ ଜିଏସଟି ଯୁଗ୍ମ କମିସନର ପରିବହନ ବିଭାଗକୁ ଚିଠି ଲେଖିଥିଲେ । ପିୟୁସି ପ୍ରଦାନ କରୁଥିବା କୌଣସି କେନ୍ଦ୍ର ଜିଏସଟି ପ୍ରଦାନ କରୁନଥିବା ଉଲ୍ଲେଖ କରି ଜିଏସଟି ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ନିର୍ଦ୍ଦେଶକୁ ଆଧାର କରି ପରିବହନ କମିସନର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ୧୮ ପ୍ରତିଶତ ଜିଏସଟି ଲାଗୁ ହେବା ପରେ ଦୁଇ ଓ ତିନି ଚକିଆ ଯାନ ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ୬୦ ଟଙ୍କା ଏବେ ବଢ଼ି ୭୦ ଟଙ୍କା ୮୦ ପଇସା ହୋଇଥିବା ବେଳେ ହାଲୁକା ଯାନ ପାଇଁ ଧାର୍ଯ୍ୟ ୧୦୦ ଟଙ୍କା ଏବେ ୧୧୮ ଟଙ୍କା ହେବ । ସେହିପରି ଭାରୀଯାନ ପାଇଁ ଧାର୍ଯ୍ୟ ୧୫୦ ଟଙ୍କା ବଢ଼ି ୧୭୭ ଟଙ୍କା ହେବ । ଗତବର୍ଷ ସେପ୍ଟେମ୍ବରରୁ ଏହି ପ୍ରମାଣପତ୍ର ପ୍ରତ୍ୟେକ ଗାଡ଼ି ପାଇଁ ବାଧ୍ୟତାମୂଳକ କରାଯାଇଛି । ଏହି ପ୍ରମାଣ ପତ୍ର ବୈଧ ନଥିଲେ ସଂଶୋଧିତ ମୋଟର ଯାନ ଆଇନ ବଳରେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।