ମହଙ୍ଗା ପଡ଼ିଲା ପ୍ରେମ :କଙ୍ଗାରୁ କୋର୍ଟରେ ନିସ୍ତୁକ ମାଡ଼, ୬୦ ହଜାର ଜରିମାନା
ମହଙ୍ଗା ପଡ଼ିଲା ପ୍ରେମ :କଙ୍ଗାରୁ କୋର୍ଟରେ ନିସ୍ତୁକ ମାଡ଼, ୬୦ ହଜାର ଜରିମାନା
admin
Sep 15, 2020 - 06:43
Updated: Sep 15, 2020 - 06:43
ରାଇଘର: ପ୍ରେମିକାକୁ ଭେଟିବା ପାଇଁ ଯାଇଥିଲେ । କିନ୍ତୁ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଗଲେ । ନିସ୍ତୁକ ମାଡ଼ ଖାଇବା ସହ ଗଣିଲେ ଜରିମାନା । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଯୋଡେ଼ଙ୍ଗା ପଞ୍ଚାୟତ ଅନ୍ତର୍ଗତ ବୋରିଗାଁରେ ଏଭଳି ଏକ ଘଟଣା ଘଟିିଛି । କଙ୍ଗାରୁ କୋର୍ଟରେ ଦଣ୍ଡ ପାଇଥିବା ସମ୍ପୃକ୍ତ ଯୁବକ ଜଣଙ୍କ ଏ ନେଇ ରାଇଘର ଥାନାରେ ଏତଲା ଦେଇଛନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଉଦୟପୁର (ଆଦିବାସୀ) ଗାଁର ସୁରେନ୍ଦ୍ର ହରିଜନ ଦୀର୍ଘ ଦିନ ହେଲା ବୋରିଗାଁର ଜଣେ ଆଦିବାସୀ ଯୁବତୀଙ୍କୁ ପ୍ରେମ କରୁଥିଲେ । ଯାହାକୁ ପ୍ରେମିକାଙ୍କ ପରିବାର ଲୋକ ବିରୋଧ କରିଆସୁଥିଲେ । ତଥାପି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହି ଆସିଥିଲା । ଗତ ଶନିବାର ଦିନ ରାତିରେ ସୁରେନ୍ଦ୍ର ନିଜ ପ୍ରେମିକାକୁ ଭେଟିବା ପାଇଁ ବୋରିଗାଁ ଆସିଥିଲେ । ଏ ନେଇ କେମିତି ଗ୍ରାମବାସୀ ଜାଣିବା ପରେ ସୁରେନ୍ଦ୍ରକୁ ଘେରି ଯାଇଥିଲେ । ପ୍ରାଣ ବିକଳରେ ସୁରେନ୍ଦ୍ର ବାଇକ ଛାଡ଼ି ସେଠାରୁ ଦୌଡ଼ି ପଳାଇଥିଲେ । ତେବେ ପରଦିନ ପୁଣି ସୁରେନ୍ଦ୍ର ବାଇକ ଆଣିବା ପାଇଁ ବେରିଗାଁ ଯାଇଥିଲା ବେଳେ ସେ ଗ୍ରାମବାସୀଙ୍କ କବଳରୁ ରକ୍ଷା ପାଇ ନଥିଲେ । ତାଙ୍କୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟିଥିଲେ ଗ୍ରାମବାସୀ । ଏପରିକି ଗୋଟିଏ ଘରେ ବନ୍ଦୀ ଭଳି କିଛି ସମୟ ପାଇଁ ରଖିଥିଲେ ।
ଶେଷରେ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ । ଶୁଣାଣି ପାଇଁ ସୁରେନ୍ଦ୍ରଙ୍କୁ ହଜାର କରାଯାଇ ଜରିମାନା ବାବଦରେ ୬୦ ହଜାର ଟଙ୍କା ଦେବାକୁ ନିଦେ୍ର୍ଧଶ ଦିଆଗଲା । ବହୁ କଷ୍ଟରେ ଯୋଗାଡ଼ କରି ୧୦ ହଜାର ଟଙ୍କା ଦେବା ସତ୍ତ୍ୱେ ବାଇକ ଫେରାଇ ନଥିଲେ ଗ୍ରାମବାସୀ । ବଳକା ୫୦ ହଜାର ଟଙ୍କା ଦେଲେ ହିଁ ବାଇକ ଫେରି ପାଇବେ ବୋଲି କହିଥିଲେ । ଅନ୍ୟ ପକ୍ଷରେ ସୁରେନ୍ଦ୍ରଙ୍କୁ ଆକ୍ରମଣ ଏବଂ କଙ୍ଗାରୁ କୋର୍ଟରେ ଚାଲିଥିବା ବିଚାର ପ୍ରକି୍ରୟାର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବୋରିଗାଁରୁ ଫେରି ସୁରେନ୍ଦ୍ର ଏ ନେଇ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ କେସ ନମ୍ବର ୧୩୬/୨୦ରେ ଏକ ମାମଲା ରୁଜୁ କରିଛି । ଉଭୟ ପକ୍ଷକୁ ଡକାଇ ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି ।