ମଉଳିଗଲା ସୀତାରାମ ୟେଚୁରୀଙ୍କ ରାଜ୍ୟସଭା ଆଶା

ମଉଳିଗଲା ସୀତାରାମ ୟେଚୁରୀଙ୍କ ରାଜ୍ୟସଭା ଆଶା

ମଉଳିଗଲା ସୀତାରାମ ୟେଚୁରୀଙ୍କ ରାଜ୍ୟସଭା ଆଶା
ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ସୀତାରାମ ୟେଚୁରୀଙ୍କ ରାଜ୍ୟସଭା ଆଶା ପୁଣି ଆଶାରେ ରହିଯାଇଛି । । ତୃତୀୟ ଥର ମଧ୍ୟ ତାଙ୍କର ରାଜ୍ୟସଭା ସଦସ୍ୟ ହେବାର ଆଶା ମଉଳିଗଲା। ୟେଚୁରୀ ଓ ତାଙ୍କର ଏହି ଦୀର୍ଘଦିନର ସ୍ୱପ୍ନ ମଧ୍ୟରେ କମ୍ୟୁନିଷ୍ଟ ପାର୍ଟି ଏବଂ ଦଳୀୟ ନିୟମ ବାଧକ ସାଜିଛି ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗର ୫ ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୬ରେ ନିର୍ବାଚନ ହେବ। ଏଠାର ବିଧାୟକଙ୍କ ଆକଳନ ଅନୁସାରେ ରାଜ୍ୟସଭାର ୪ ଆସନ ନିଶ୍ଚିତ ଭାବେ ଟିଏମସି ହାତକୁ ଆସିବ ଏବଂ ବଳକା ଗୋଟିଏ ଆସନ ଅନ୍ୟ ପାର୍ଟି ହାତେଇବ। ଏହି ବଳକା ଗୋଟିଏ ଆସନକୁ କଂଗ୍ରେସ ଏବଂ ସିପିଆଇଏମ ମିଳିତ ଭାବେ କବଜା କରିବାକୁ ପ୍ରୟାସ କରୁଛନ୍ତି। ତେବେ ୟେଚୁରୀଙ୍କୁ ଦଳ ନିଜ ଦମରେ ରାଜ୍ୟସଭା ପଠାଇବା ଲାଗି ବଙ୍ଗରେ ସିପିଏମ ସମେତ ସମସ୍ତ ବାମପନ୍ଥୀ ଦଳକୁ ମିଶାଇବା ପରେ ମଧ୍ୟ ଆବଶ୍ୟକ ସଂଖ୍ୟକ ବିଧାୟକ ନାହାନ୍ତି। ଏଭଳି ପରିସ୍ଥିତିରେ ବଙ୍ଗର ବାମ ୟୁନିଟ୍ କଂଗ୍ରେସ ସହାୟତାରେ ୟେଚୁରୀଙ୍କୁ ରାଜ୍ୟସଭା ପଠାଇବାକୁ ପ୍ରସ୍ତାବ ଦେଇଥିଲା। ସୂତ୍ରରୁ ଜଣାପଡ଼ିଛି ଯେ, ଫେବୃୟାରୀ ୬ରେ ଦିଲ୍ଲୀସ୍ଥିତ ସିପିଆଇଏମ ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ପଲିଟି ବ୍ୟୁରୋର ସଦସ୍ୟମାନେ ଦଳୀୟ ନିୟମାବଳୀର ଦ୍ୱାହି ଦେଇ ଉକ୍ତ ପ୍ରସ୍ତାବକୁ ଖାରିଜ କରିଦେଇଛନ୍ତି। ଏହା ପରେ ୟେଚୁରୀଙ୍କ ରାଜ୍ୟସଭା ଯିବା ସ୍ୱପ୍ନ ତୃତୀୟ ଥର ମଧ୍ୟ ମଉଳିଯାଇଛି।