ଭୁବନେଶ୍ୱର-ଦୁବାଇ ସିଧା ବିମାନ ଚଳାଚଳ କରୁ: ଧର୍ମେନ୍ଦ୍ର

ଭୁବନେଶ୍ୱର-ଦୁବାଇ ସିଧା ବିମାନ ଚଳାଚଳ କରୁ: ଧର୍ମେନ୍ଦ୍ର

ଭୁବନେଶ୍ୱର-ଦୁବାଇ ସିଧା ବିମାନ ଚଳାଚଳ କରୁ: ଧର୍ମେନ୍ଦ୍ର
ଭୁବନେଶ୍ୱର : ଭୁବନେଶ୍ୱରରୁ ଦୁବାଇ ଯାତାୟତ କରୁଥିବା ଓଡ଼ିଶାର ଯାତ୍ରୀଙ୍କ ସୁବିଧା ତଥା ଓଡ଼ିଶାର ବିକାଶରେ ବିମାନ ସେବାର ବଡ଼ ଭୂମିକା ରହିଛି । ଏହି ପୃଷ୍ଠଭୂମିରେ ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କରାଯାଉ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ଚିଠି ଲେଖିଛନ୍ତି । ମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପୂର୍ବୋଦୟ ଯୋଜନାରେ ପୂର୍ବ ଭାରତରେ ଓଡ଼ିଶା ବିକାଶର ପେଣ୍ଠସ୍ଥଳୀ ଭାବେ ଆଗକୁ ବଢ଼ୁଛି । କେନ୍ଦ୍ର ସରକାର ଉଡ଼ାଣ ଯୋଜନା ମାଧ୍ୟମରେ ଆଞ୍ଚଳିକ ସ୍ତରରେ ବିମାନ ଯୋଗାଯୋଗ କ୍ଷେତ୍ରରେ ନୂଆ ସମ୍ଭାବନାର ସୂତ୍ରପାତ କରିଛି । ରାଜଧାନୀ ଭୁବନେଶ୍ୱର ସହ ସିଧାସଳଖ ଆନ୍ତର୍ଜାତିକ ବିମାନ ଯୋଗାଯୋଗ ପୂର୍ବ ଭାରତର ବିକାଶ ସମ୍ଭାବନାକୁ ଆହୁରି ଦୃଢ଼ କରିବା ବର୍ତ୍ତମାନ ଭୁବନେଶ୍ୱରରେ ସିଧା ବିମାନ ସଂଯୋଗ କେବଳ ଥାଇଲାଣ୍ଡକୁ ରହିଛି । ଭୁବନେଶ୍ୱରକୁ ୟୁଏଇର ଦୁବାଇ ସହ ଯୋଡ଼ିବା ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଛି । ଶ୍ରୀ ପ୍ରଧାନ ଆହୁରି ଦର୍ଶାଇଛନ୍ତି, ୟୁଏଇରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୫ ହଜାରରୁ ଅଧିକ ଓଡ଼ିଆ ବସବାସ କରୁଛନ୍ତି । ଏହି ଲୋକମାନେ ନିଜ ରାଜ୍ୟକୁ ଯାତାୟତ କରିବା ସମୟରେ ଅସୁବିଧା ଭୋଗୁଛନ୍ତି । ଭୁବନେଶ୍ୱର ଶିକ୍ଷା, ସ୍ୱାସ୍ଥ୍ୟାବସ୍ଥା, ସଂସ୍କୃତି ଓ ପର୍ଯ୍ୟଟନର କେନ୍ଦ୍ର ଭାବେ ବିକଶିତ ହୋଇଛି । ତେଣୁ ଆନ୍ତର୍ଜାତିକ ବିମାନ ଚଳାଚଳ କଲେ ଏହା ସ୍ୱାସ୍ଥ୍ୟ ପର୍ଯ୍ୟଟନ ସାଂସ୍କୃତିକ ପର୍ଯ୍ୟଟନ ଓ ଶିକ୍ଷା କ୍ଷେତ୍ରରେ ସଂଯୋଗ ଉପସ୍ଥାପନ ପାଇଁ ଏକ ପ୍ରମୁଖ କେନ୍ଦ୍ର ହୋଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।