ଭାରତକୁ ବାଇଡେନ୍ଙ୍କ ପ୍ରଶଂସା
ଭାରତକୁ ବାଇଡେନ୍ଙ୍କ ପ୍ରଶଂସା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ମଧ୍ୟରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ମୋଦୀଙ୍କ କାର୍ୟ୍ୟ ଓ ଭାରତର ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି ବାଇଡେନ୍। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ରୁଷ ପ୍ରତି ଭାରତର କୋହଳ ଆଭିମୁଖ୍ୟକୁ ନାପସନ୍ଦ କରୁଥିବା ଆମେରିକା ଭାରତର ପ୍ରଶଂସା କରିଛି। ୟୁକ୍ରେନକୁ ଭାରତର ମାନବିକ ସହାୟତାର ପ୍ରଶଂସା କରି ବାଇଡେନ କହିଛନ୍ତି ଏହି ଯୁଦ୍ଧର ଅବସାନ ଲାଗି ଦୁଇ ଦେଶ ମିଳିତ ହୋଇ କାମ କରିବେ। ଆମେରିକାର ଅନୁରୋଧ କ୍ରମେ ହୋଇଥିବା ଏହି େବୖଠକରେ ମୋଦୀ ଭାରତର ଆଭିମୁଖ୍ୟ ସପକ୍ଷରେ ଯୁକ୍ତି ରଖିଥିଲେ।
ଉଭୟ ନେତା ୟୁକ୍ରେନ୍ ଯୁଦ୍ଧକୁ ନେଇ ବିସ୍ତୃତ ଆଲୋଚନା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବାଇଡେନ୍ଙ୍କୁ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରି କହିଥିଲେ ସେ ଉଭୟ ରୁଷ୍ ରାଷ୍ଟ୍ରପତି ଏବଂ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହିତ ଅନେକ ଥର ଫୋନ୍ରେ କଥା ହୋଇଛି ଏବଂ ଶାନ୍ତି ପାଇଁ ନିବେଦନ କରିଛି। ରାଷ୍ଟ୍ରପତି ପୁଟିନ୍ ସିଧାସଳଖ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ କଥା ହେବାକୁ ମଧ୍ୟ ମୁଁ ପ୍ରସ୍ତାବ ଦେଇଥିଲି। ଭାରତର ସଂସଦରେ ମଧ୍ୟ ୟୁକ୍ରେନ୍ ପ୍ରସଙ୍ଗରେ ଆଲୋଚନା ହୋଇଛି। ୟୁକ୍ରେନ୍ ସଙ୍କଟରେ ଆମେ ପ୍ରଥମେ ଆମ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଗୁରୁତ୍ବ ଦେଇଥିଲୁ ଏବଂ ୟୁକ୍ରେନ୍କୁ ମାନବୀୟ ସହାୟତା ପଠାଇଥିଲୁ। କିଛି ସପ୍ତାହ ପୂର୍ବରୁ ୟୁକ୍ରେନ୍ରେ ୨୦ ହଜାର ଭାରତୀୟ ଫସିଥିଲେ ଏବଂ ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିଲେ। ତେଣୁ ଆମ ନାଗରିକଙ୍କ ଉଦ୍ଧାର ପ୍ରକ୍ରିୟା ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୟୁକ୍ରେନର ବୁସା ନରସଂହାର ଉପରେ ଉଦ୍ବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀ ବାଇଡେନ୍ଙ୍କୁ କହିଥିଲେ ଯେ ଆମେ ତୁରନ୍ତ ଏହି ଘଟଣାର ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତ ଦାବି କରିଥିଲୁ।
ୟୁକ୍ରେନ୍ ନେଇ ଭାରତର ଆଭିମୁଖ୍ୟକୁ ବାଇଡେନ୍ ପ୍ରଶଂସା କରିଥିଲେ ଏବଂ ଭାରତ-ଆମେରିକା ମିଳିତ ଭାବେ ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ଦିଗରେ ପ୍ରୟାସ ଜାରି ରଖିବେ ବୋଲି କହିଥିଲେ। ଭାରତ-ଆମେରିକା ସଂପର୍କ ଆଗକୁ ଆହୁରି ସୁଦୃଢ଼ ହେବ ଏବଂ ଆମର ରଣନୀତିକ ଭାଗିଦାରିତା ଏକ ନୂଆ ପର୍ୟ୍ୟାୟରେ ପହଞ୍ଚିବ ବୋଲି ବାଇଡେନ ଆଶା ପ୍ରକାଶ କରିଥିଲେ। ଆମର ବନ୍ଧୁତା ଏବଂ ମୂଲ୍ୟବୋଧ ଦ୍ବିପାକ୍ଷକୁ ସଂପର୍କକୁ ସର୍ବଦା ମଜଭୁତ କରିଆସିଛି ବୋଲି ବାଇଡେନ୍ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ। ଭାରତ ଆମେରିକା ସଂପର୍କରେ ନିରନ୍ତରତା ବଜାୟ ରଖିବାକୁ ଦୁଇ ନେତା ସହମତି ପ୍ରକାଶ କରିଥିଲେ। ଭାରତ-ଆମେରିକା ମଧ୍ୟରେ ଆଜି ୨+୨ ବୈଠକ ପୂର୍ବରୁ ମୋଦୀ-ବାଇଡେନ୍ ଭର୍ଚୁଆଲ ବୈଠକ ଉପରେ ପୂରା ବିଶ୍ବର ନଜର ରହିଥିଲା। ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨+୨ ବୈଠକରେ ସେମାନଙ୍କ ପ୍ରତିପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି।




admin 