ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ; ଖେଳିବେନି ରୋହିତ, ବିରାଟ
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ; ଖେଳିବେନି ରୋହିତ, ବିରାଟ
ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ୫ଟିକିଆ ଟି-୨୦ ସିରିଜ୍। ଏ ନେଇ ଟିମ୍ ଇଣ୍ଡିଆ ଖେଳାଳିଙ୍କ ନାମ ଘୋଷଣା ହୋଇଛି। ବିସିସିଆଇ ପକ୍ଷରୁ ଖେଳାଳିଙ୍କ ନାମ ଟ୍ୱିଇଟ କରାଯାଇଛି। ଏଥିରେ କେଏଲ ରାହୁଲଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଯେତେବେଳେ କି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି।
ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଋତୁରାଜ ଗାୟକବାଡ଼, ଇଶାନ କିଷନ, ଦୀପକ ହୁଡ଼ା, ଶ୍ରେୟସ ଆୟର, ଋଷଭ ପନ୍ଥ(ଉପ ଅଧିନାୟକ), ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେସ ଆୟର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଆବେସ ଖାନ, ଅର୍ସଦୀପ ସିଂହ, ଉମରାନ ମଲିକ ରହିଛନ୍ତି। ଚଳିତ ଆଇପିଏଲରେ ଉତ୍ତମ ଖେଳ ଦେଖାଇଥିବା ବହୁ ଯୁବ ଖେଳାଳିଙ୍କୁ ଏହି ଟିମରେ ସ୍ଥାନ ମିଳିଛି। ଯାହା ମଧ୍ୟରେ ପ୍ରଥମ ଥର ସ୍ଥାନ ପାଇଛନ୍ତି ଅର୍ସଦୀପ ସିଂହ ଓ ଉମରାନ ମଲିକ।
ଏହି ମୁକାବିଲାର ପ୍ରଥମ ମ୍ୟାଚ ଜୁନ୍ ୯ରେ ଦିଲ୍ଲୀ, ଦ୍ୱିତୀୟ ମ୍ୟାଚ ଜୁନ୍ ୧୨ରେ କଟକ ବାରବାଟି ଷ୍ଟାଡିୟମ, ତୃତୀୟ ମ୍ୟାଚ ଜୁନ ୧୪ରେ ବିଶାଖାପାଟଣା, ଚତୁର୍ଥ ମ୍ୟାଚ ଜୁନ ୧୭ରେ ରାଜକୋଟ ଓ ପଞ୍ଚମ ମ୍ୟାଚ ଜୁନ ୧୯ରେ ବେଙ୍ଗଲୁରୁ ଠାରେ ଖେଳାଯିବ।
ଇଂଲଣ୍ଡ ବିରୋଧରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ ନିମନ୍ତେ ମଧ୍ୟ ଭାରତୀୟ ଦଳ ଘୋଷଣା ହୋଇଛି। ଗତବର୍ଷ ହୋଇପାରି ନ ଥିବା ଏହି ଗୋଟିଏ ମ୍ୟାଚ ଜୁଲାଇ ୧ରୁ ୫ ତାରିଖ ଯାଏଁ ଇଂଲଣ୍ଡର ଏଜବାଷ୍ଟନ ଠାରେ ଖେଳାଯିବ। ଏହାପରେ ଇଂଲଣ୍ଡ ବିରୋଧରେ ଭାରତୀୟ ଟିମକୁ ଦିନିକିଆ ଓ ଟି୨୦ ମଧ୍ୟ ଖେଳିବାକୁ ପଡ଼ିବ। ତେବେ ଏହି ଦୁଇଟି ସିରିଜ ନିମନ୍ତେ ପରବର୍ତ୍ତି ସମୟରେ ଭାରତୀୟ ଦଳ ଖେଳାଳିଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।
ଟେଷ୍ଟ ମ୍ୟାଚରେ ଖେଳିବାକୁ ଚୟନ ହୋଇଥିବା ଭାରତୀୟ ଖେଳାଳିମାନେ ହେଲେ ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ଋଷଭ ପନ୍ଥ, କେଏସ ଭରତ, ରବିନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ ଅଶ୍ୱିନୀ, ଶାର୍ଦ୍ଦୁଲ ଠାକୁର, ମହମଦ୍ଦ ଶାମୀ, ଜଶପ୍ରୀତ ବୁମରାହ, ମହମଦ୍ଦ ସିରାଜ, ଉମେଶ ଯାଦବ, ପ୍ରସିଦ୍ଧ କୃଷ୍ଣା।
ଖରାପ ଫର୍ମ ସହ ସଂଘର୍ଷ କରୁଥିବା ଚେତେଶ୍ୱର ପୂଜାରା କାଉଣ୍ଟିଂ କ୍ରିକେଟରେ ଭଲ ଖେଳ ଦେଖାଇଥିବାରୁ ତାଙ୍କୁ ଦଳରେ ସାମିଲ କରାଯାଇଛି। ସୂଚନା ଥାଉକି ଶ୍ରୀଲଙ୍କା ସହ ହୋଇଥିବା ମ୍ୟାଚରେ ଭାରତୀୟ ଦଳରେ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କୁ ସ୍ଥାନ ମିଳି ନ ଥିଲା। ଫଳରେ ଏହି ଦୁହିଁଙ୍କ କ୍ରିକେଟ କ୍ୟାରିୟର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କାଉଣ୍ଟିଂ କ୍ରିକେଟରେ ପୂଜାରାଙ୍କ ଲଗାଦାର ଶତକ ଦେଖିବାକୁ ମିଳିଥିଲା। ତେଣୁ ଇଂଲଣ୍ଡ ସହ ହେବାକୁ ଥିବା ମ୍ୟାଚରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। ତେବେ ରାହାଣେ ଶରୀରରେ ଆଘାତ ଜନିତ ଏବେ ବି ଖେଳରୁ ବାହାରେ ରହିଛନ୍ତି।




admin 