ବଢ଼ିବ କି ଲକ୍ଡାଉନ! ୫ଟି ରାଜ୍ୟର ଲକ୍ ଡାଉନ୍ ବୃଦ୍ଧି ନେଇ ସମର୍ଥନ।
ବଢ଼ିବ କି ଲକ୍ଡାଉନ! ୫ଟି ରାଜ୍ୟର ଲକ୍ ଡାଉନ୍ ବୃଦ୍ଧି ନେଇ ସମର୍ଥନ।
admin
Apr 27, 2020 - 09:23
Updated: Apr 27, 2020 - 09:23
ନୂଆଦିଲ୍ଲୀ: କରୋନା ଭାଇରସ (କୋଭିଡ-୧୯) ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ଗତ ମାର୍ଚ୍ଚ ୨୫ ତାରିଖରୁ ସମଗ୍ର ଦେଶରେ ଲକଡାଉନ ଲାଗୁ କରିଛନ୍ତି । ଦୁଇଟି ପର୍ଯ୍ୟାୟରେ ଲାଗୁ ହୋଇଥିବା ଏହି ଲକଡାଉନର ଅବଧି ଆସନ୍ତା ମେ ୩ ରେ ଶେଷ ହେବ । ତେବେ ଲକଡାଉନ ସତ୍ତ୍ୱେ ଦେଶର କେତେକ ରାଜ୍ୟରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲକଡାଉନ ଅବଧି ବୃଦ୍ଧି କରିବାକୁ ୫ଟି ରାଜ୍ୟ ଚାହିଁଛନ୍ତି । ସେଗୁଡ଼ିକ ହେଲେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ପଞ୍ଜାବ । ଏମାନଙ୍କ ମଧ୍ୟରେ ଅଧିକାଂଶ ଅଣ ବିଜେପି ଶାସିତ ରାଜ୍ୟ । ଯଦି କେନ୍ଦ୍ର ସରକାର ଲକଡାଉନ ଅବଧି ବୃଦ୍ଧି ନ କରନ୍ତି ତେବେ ହଟସ୍ପଟ ଅଞ୍ଚଳରେ କଟକଣା ବଳବତ୍ତର ରଖିବାକୁ ସେମାନେ ଚାହିଁଛନ୍ତି ।
ଅପରପକ୍ଷରେ ଗୁଜରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ହରିଆଣା, ହିମାଚଳ ପ୍ରଦେଶ, ଓଡ଼ିଶା ଓ କର୍ଣ୍ଣାଟକ ଲକଡାଉନ ଅବଧି ବୃଦ୍ଧି ଲାଗି ଚାହିଁ ନଥିଲେ ମଧ୍ୟ ସେମାନେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ।ସେମାନେ ଦର୍ଶାଇଛନ୍ତି ଯେ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେବେ ତାକୁ ମାନିବେ । ସେହିଭଳି ଆସାମ, କେରଳ ଓ ବିହାର କହିଛନ୍ତି ଯେ ସେମାନେ ଆସନ୍ତାକାଲି (ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କର ଆଲୋଚନା ପରେ ଯାହାକିଛି ନିଷ୍ପତ୍ତି ନେବେ । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ରାଜଧାନୀରେ ୯୨ଟି ହଟସ୍ପଟ ରହିଛି । କିନ୍ତୁ ପୂରା ସହର ହଟସ୍ପଟ ନୁହେଁ । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ କହିଛନ୍ତି ଯେ ମୁମ୍ବାଇ ଓ ପୁନେର ରେଡଜୋନରେ ମେ ୩ ତାରିଖ ପରେ କଟକଣା ଆହୁରି ୨ ସପ୍ତାହ ବଳବତ୍ତର ରଖିବାକୁ ବିଚାର କରାଯାଉଛି । କାରଣ ଏହି ଦୁଇ ସହରରେ ରାଜ୍ୟର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୯୨% ରହିଛନ୍ତି ।