ବେକରେ କଟୁରି ଲଗାଇ ୧.୪ ଲକ୍ଷ ନେଇଗଲେ
ବେକରେ କଟୁରି ଲଗାଇ ୧.୪ ଲକ୍ଷ ନେଇଗଲେ
admin
Jan 5, 2021 - 07:49
Updated: Jan 5, 2021 - 07:49
ବାଲିପାଟଣା: ପୁଣି ବାଲିପାଟଣା ଥାନା ଅଞ୍ଚଳରେ ଘଟିଛି ଏକ ରାହାଜାନୀ । ଜଣେ ଯୁବକଙ୍କ ବେକରେ କଟୁରି ଲଗାଇ ଦୁର୍ବୃତ୍ତମାନେ ୧ ଲକ୍ଷ ୪୧ ହଜାର ଟଙ୍କା ଲୁଟି ନେଇଛନ୍ତି । ଦିନ ଦି’ପହରରେ ଜନଗହଳି ପୂର୍ଣ୍ଣ ରାସ୍ତାରେ ଦୁର୍ବୃତ୍ତମାନେ ଲୁଟ କରିବା ପରେ ଫେରାର ହୋଇଯାଇଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି ଲୁଟେରାମାନଙ୍କ ଟେର ପାଇ ପାରୁନାହିଁ । ସୂଚନା ଅନୁସାରେ, ଲୁଟର ଶିକାର ହୋଇଛନ୍ତି ରାଜେଶ କୁମାର ରାଉଳ । ସେ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ଥିବା ସାଇ ଟ୍ରେଡ ଲିଙ୍କ ସଂସ୍ଥାର ଜଣେ କର୍ମଚାରୀ । ସେ ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳର ଖୁଚୁରା ସିମେଣ୍ଟ ବେପାରୀଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ଆସିଥିଲେ । ପ୍ରଥମେ ସେ ବାଳକାଟି ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୧୬ ହଜାର ଆଦାୟ କରିଥିଲେ । ସେଠାରୁ ସେ ଚଣାହାଟ ହାଇସ୍କୁଲ ନିକଟସ୍ଥ ଆଉ ଜଣେ ବ୍ୟବସାୟୀଙ୍କ ଠାରୁ ୨୫ ହଜାର ଟଙ୍କା ଆଦାୟ କରିଥିଲେ । ଅପରାହ୍ନ ପ୍ରାୟ ୧ ଟାରେ ଚଣାହାଟରୁ ବାହାରି ବାଲିପାଟଣା ବଜାର ଦିଗରେ ଫେରୁଥିଲେ । ସେ ସରାଟ ଶ୍ମଶାନ ପାଖ ଦେଇ ଅତିକ୍ରମ କରୁଥିବା ବେଳେ ହଠାତ ୨ ଜଣ ଦୁର୍ବୃତ୍ତ ଏକ ନାଲି ଆପାଚି ବାଇକରେ ଆସି ତାଙ୍କ ବାଇକ ସମ୍ମୁଖରେ ବ୍ରେକ ମାରିଥିଲେ । ତେଣୁ ରାଜେଶ ବାଧ୍ୟ ହୋଇ ବାଇକ ଅଟକାଇଥିଲେ । ସଙ୍ଗେ ସଙ୍ଗେ ଦୁର୍ବୃତ୍ତ ଦ୍ୱୟ ବାଇକରୁ ଓହ୍ଲାଇ ରାଜେଶଙ୍କ ବେକରେ କଟୁରି ଲଗାଇଥିଲେ । ସେ ଭୟରେ ଥରୁଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ କାନ୍ଧରୁ ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ନେଇଥିଲା । ଅନ୍ୟ ଜଣେ ତାଙ୍କୁ ବାଇକ ଡିକି ଖୋଲିବାକୁ କହିଥିଲେ । ଭୟରେ ରାଜେଶ ଡିକି ଖୋଲି ଦେଇଥିଲେ । ମାତ୍ର ସେଥିରେ କିଝି ନଥିବା ଦେଖି ଦୁର୍ବୃତ୍ତ ଦ୍ୱୟ ସେଠାରୁ ବିଜୁଳି ବେଗରେ ପଳାଇଥିଲେ ।