ବୃଦ୍ଧା ମା’ଙ୍କୁ ଟ୍ରଲିରେ ଡାକ୍ତରଖାନା ଆଣିଲେ ପୁଅ ।

ବୃଦ୍ଧା ମା’ଙ୍କୁ ଟ୍ରଲିରେ ଡାକ୍ତରଖାନା ଆଣିଲେ ପୁଅ ।

କରୋନା ପାଇଁ ସାରା ସହର ଲକଡାଉନ । ମାଙ୍କ ବୟସ ୯୫ ଛୁଇଁଲାଣି । ହଠାତ ତାଙ୍କର ଦେହ ଅସୁସ୍ଥ ହେଲା । ଡାକ୍ତରଖାନା ଆଣିବା ପାଇଁ କୌରସି ଗାଡ଼ି ବି ମିଳିଲାନି । ନିଜେ ନିରକ୍ଷର ହୋଇଥିବାରୁ ଜରୁରୀକାଳୀନ ସହାୟତା କେନ୍ଦ୍ର କିମ୍ବା ଆମ୍ବୁଲାନ୍ସ ସହ ଯୋଗାଯୋଗ କରିପାରିଲେ ନାହିଁ । ଶେଷରେ ବାଧ୍ୟ ହୋଇ ଟ୍ରଲିରେ ମାଙ୍କୁ ବସାଇ ଡାକ୍ତରଖାନା ଆଣିଲେ । ଇଏ ହେଉଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗୁମୁଗଡ଼ ଅଞ୍ଚଳର ସୁନନ୍ଦ ବେହେରା । ପେଷାରେ ଦିନ ମଜୁରିଆ । ସମୟାନ୍ତରରେ ଟ୍ରଲି ଟାଣି ପରିବାର ପ୍ରତିପୋଷଣ କରନ୍ତି । କରୋନା ପାଇଁ ଧାମନଗର ଅଞ୍ଚଳରେ ଲକଡାଉନ କଟକଣା ଜାରି ରହିଛି । ଦୋକାନ ବଜାର ବନ୍ଦ, ରାସ୍ତାଘାଟ ଶୂନଶାନ । ଏହି ସମୟରେ ସୁନନ୍ଦଙ୍କ ମା ଆଣ୍ଠୁଗଣ୍ଠିରେ ଭୀଷଣ କଷ୍ଟ ଅନୁଭବ କଲେ । ନିରକ୍ଷର ହୋଇଥିବାରୁ ସୁନନ୍ଦ କାହା ସହ ଯୋଗାଯୋଗ କରି ନ ପାରି ଟ୍ରଲିରେ ବୃଦ୍ଧା ମାଙ୍କୁ ବସାଇ ଧମାନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଦେଖାଇ ଔଷଧ ନେଇ ଘରକୁ ଫେରିଥିବା ସୂଚନା ମିଳିଛି ।