ବିଷ୍ଣୁପଦଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍
ବିଷ୍ଣୁପଦଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍
ଭୁବନେଶ୍ୱର: ରାଜ୍ୟ ସମବାୟ ବ୍ୟାଙ୍କ ମାମଲାରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତ ପୁରାପୁରି କ୍ଲିନଚିଟ ଦେଇଛନ୍ତି । ଏଥିସହିତ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖାରଜ କରିଦେଇଛନ୍ତି । ବ୍ୟାଙ୍କର ପରିଚାଳନା ଦାୟିତ୍ୱରେ ଥିବା ବେଳେ ବିଷ୍ଣୁପଦ ପାରିଶ୍ରମିକ (ଅନରାରିୟମ) ନେବା ଓ ବାପା ଓ ପତ୍ନୀଙ୍କ ଚିକିତ୍ସା ଖର୍ଚ୍ଚ ଗ୍ରହଣ କରିବା ଆଦୌ ବେଆଇନ ନୁହେଁ ବୋଲି ଲୋକାୟୁକ୍ତ ସ୍ପଷ୍ଟ କରିଛନ୍ତି । ବିଷ୍ଣୁପଦ ଫେରାଇ ଦେଇଥିବା ଚିକିତ୍ସା ଖର୍ଚ୍ଚ ବାବଦ ଟଙ୍କା ପୁଣି ତାଙ୍କୁ ଫେରାଇ ଦେବାକୁ ଲୋକାୟୁକ୍ତ ସରକାରଙ୍କ ନିଦେ୍ର୍ଧଶ ଦେଇଛନ୍ତି । ମାମଲାର ବିବରଣୀ ଅନୁସାରେ ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀ ୨୦୧୩ ଫେବୃୟାରୀ ୬ ରୁ ୨୦୧୫ ଜୁଲାଇ ୨୮ ତାରିଖ ମଧ୍ୟରେ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ଦାୟିତ୍ୱରେ (ମ୍ୟାନେଜମେଣ୍ଟ ଇନଚାର୍ଜ) ଥିଲେ । ଏହି ଅବଧି ମଧ୍ୟରେ ସେ ପାରିଶ୍ରମିକ ଏବଂ ବାପା ଓ ପତ୍ନୀଙ୍କ ଖର୍ଚ୍ଚ ବାବଦରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କା ନେଇଛନ୍ତି ଶ୍ରୀକାନ୍ତ ପାକଳ ନାମକ ଜନୈକ ବ୍ୟକ୍ତି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ । କେବଳ ଚିକିତ୍ସା ଖର୍ଚ୍ଚ ବାବଦରେ ବିଷ୍ଣୁପଦ ୯ ଲକ୍ଷ ୪୬ ହଜାର ଟଙ୍କା ନେଇଛନ୍ତି ବୋଲି ଅଭିଯୋଗକାରୀ ଦର୍ଶାଇଥିଲେ । ଉକ୍ତ ମାମଲାର ଟିକିନିଖି ତଦନ୍ତ କରିବା ପରେ ଲୋକାୟୁକ୍ତ ଉପରୋକ୍ତ ନିଷ୍ପତ୍ତି ଶୁଣାଇଛନ୍ତି ।