ବିଧାନସଭା ଆଗରେ ବୀଭତ୍ସ ହତ୍ୟା

ବିଧାନସଭା ଆଗରେ ବୀଭତ୍ସ ହତ୍ୟା

ବିଧାନସଭା ଆଗରେ ବୀଭତ୍ସ ହତ୍ୟା

ଭୁବନେଶ୍ବର: ରାଜଧାନୀରେ ସବୁଠାରୁ ସୁରକ୍ଷାର ଘେର ଭିତରେ ଥିବା ଅଞ୍ଚଳ ବିଧାନସଭା ସାମ୍ନାରେ ବୀଭତ୍ସ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ବହ୍ଲାରେ ପିଟି ପିଟି ହତ୍ୟା କରାଯାଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ହୋଇଛନ୍ତି। ସୌଭାଗ୍ୟବଶତଃ ପାଖରେ ଥିବା ବର୍ଷକର ପୁଅ ଅଳ୍ପକେ ବର୍ତ୍ତିଯାଇଛି। ମୃତକ ହେଲେ, ବବୁଲୁ ବେହେରା(୨୫)। ମୃତକଙ୍କ ପତ୍ନୀ ପୂଜାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଛୋଟ ପୁଅକୁ ଚାଇଲ୍ଡଲାଇନ୍ ନିଜ ହେପାଜତକୁ ନେଇଛି। ଖାରବେଳନଗର ଥାନା ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଛି। ଘଟଣାସ୍ଥଳରୁ ଗୋଟିଏ କଟୁରି ଓ ବହ୍ଲା ଜବତ କରାଯାଇଛି।  

ସୂଚନା ମୁତାବକ, ସୋମବାର ସକାଳ ପାଖାପାଖି ୬ଟାରେ ଜଣେ ସିକ୍ୟୁରିଟି ଗାର୍ଡ ପିଏମ୍ଜିକୁ ଲାଗି କରି ରହିଥିବା ପୋଷ୍ଟାଲ ଏଟିଏମ୍ କାଉଣ୍ଟର୍ ଖୋଲିବା ପାଇଁ ଆସିଥିଲେ। ଜଣେ ଯୁବକ ଓ ମହିଳା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପାଖରେ ଛୋଟିଆ ପୁଅ କାନ୍ଦୁଥାଏ। ଚାରିଆଡ଼େ ବୋହିଥାଏ ରକ୍ତର ଧାର। ଏଭଳି ସ୍ଥିତି ଦେଖି ସେ ଭୟଭୀତ ହୋଇପଡ଼ିଥିଲେ। ସେ ସେମାନଙ୍କୁ ଡାକିଥିଲେ। ହେଲେ କେହି ଜବାବ ଦେଇନଥିଲେ। ସିକ୍ୟୁରିଟି ଗାର୍ଡଜଣକ ତୁରନ୍ତ ସେଠାକାର ଚା’ ଦୋକାନୀ ଓ ଅନ୍ୟ ସିକ୍ୟୁରିଟି ଗାର୍ଡଙ୍କୁ ଘଟଣା ବିଷୟରେ ଜଣାଇଥିଲେ।

ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବବୁଲୁଙ୍କ ମୃତ୍ୟୁ ହୋଇ ସାରିଥିବା ଜଣାପଡ଼ିଥିବା ବେଳେ ପତ୍ନୀ ପୂଜାଙ୍କ ଶ୍ବାସକ୍ରିୟା ଚାଲିଥିଲା। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ଛୋଟ ପୁଅକୁ ଚାଇଲ୍ଡଲାଇକୁ ହସ୍ତାନ୍ତର କରାଯାଇଥିଲା। ପିଲାକୁ ଭଗବାନ ବଞ୍ଚାଇଦେଲେ ବୋଲି ସ୍ଥାନୀୟ ଲୋକଙ୍କ ଭିତରେ ଆଲୋଚନା ଚାଲିଥିଲା। ଏହାପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା। ବବୁଲଙ୍କ ଡାହାଣ ପଟ କାନମୁଣ୍ଡାରେ ଗଭୀର କ୍ଷତ ରହିଥିବା ବେଳେ ପୂଜାଙ୍କ ଡାହାଣ ପଟ ମୁଣ୍ଡ ଓ ମୁହଁ ଫାଟି ଯାଇଥିଲା।


ରବିବାର ରାତିରେ ଦମ୍ପତି ଖାଇ ସାରି ପୁଅକୁ ନେଇ ଏଟିଏମ୍ ସମ୍ମୁଖରେ ମଶାରି ଟାଙ୍ଗି ଶୋଇଥିଲେ। କେହି ଦୁର୍ବୃତ୍ତ ବବୁଲୁଙ୍କ କାନମୁଣ୍ଡାକୁ ବହ୍ଲାରେ ବାରମ୍ବାର ଆକ୍ରମଣ କରିଥିଲା। ଆକ୍ରମଣ ଫଳରେ ଡାହଣପଟ କନମୁଣ୍ଡାରେ ଗଭୀର କ୍ଷତରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସ୍ବାମୀକୁ ଆକ୍ରମଣ ହେଉଥିବା ଦେଖି ପୂଜା ପ୍ରତିବାଦ କରିଥିବା ଅନୁମାନ କରାଯାଉଛି। ଏହା ପରେ ଦୁର୍ବୃତ୍ତ ତାଙ୍କୁ ମଧ୍ୟ ଆକ୍ରମଣ କରି ଫେରାର୍ ହୋଇଯାଇଥିଲା।

ଉକ୍ତ ଦମ୍ପତି ଶ୍ରମିକ ଶ୍ରେଣୀର ହୋଇଥିବାରୁ ପାଖରେ କିଛି ଟଙ୍କା ରହିଥିବା ମଧ୍ୟ ଅନୁମାନ କରାଯାଉଛି। କେହି ଦୁର୍ବୃତ୍ତ ଟଙ୍କା ଲୁଟିବାକୁ ଆସି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ପୁଲିସ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଜବତ କରି ଯାଞ୍ଚ କରୁଛି।