ବିଜେପୁର ଉପନିର୍ବାଚନର ଫଳାଫଳ: ଐତିହାସିକ ରେକର୍ଡ ବ୍ୟବଧାନରେ ଜିତିଲେ ରୀତା
ବିଜେପୁର ଉପନିର୍ବାଚନର ଫଳାଫଳ: ଐତିହାସିକ ରେକର୍ଡ ବ୍ୟବଧାନରେ ଜିତିଲେ ରୀତା
admin
Oct 24, 2019 - 08:10
Updated: Oct 24, 2019 - 08:10
ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ବିଜୁ ଜନତା ଦଳ ପ୍ରାର୍ଥିନୀ ରୀତା ସାହୁ ରେକର୍ଡ ଭୋଟରେ ବିଜୟ ହାସଲ କରି ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ରୀତାଙ୍କୁ ମୋଟ ୧୩୫୯୫୭ ଖଣ୍ଡ ଭୋଟ ମିଳିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସନତ କୁମାର ଗଡ଼ତିଆଙ୍କୁ ୩୭ହଜାର ୯୬୭ ଖଣ୍ଡରେ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଫଳରେ ରୀତା ୯୭,୯୯୦ ଭୋଟରେ ବାଜିମାତ କରିଛନ୍ତି । ଭୋଟ ବିଜୟ ବ୍ୟବଧାନରେ ରୀତା ଖାଲି ଯେ ପୂର୍ବତନ ହିଞ୍ଜିଳି ବିଧାୟକ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଛରେ ପକାଇଛନ୍ତି ତାହା ନୁହେଁ ସାଧାରଣ ନିର୍ବାଚନରେ ବିଜୟ ରେକର୍ଡ କରିଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଅପରପକ୍ଷରେ କଂଗ୍ରେସକୁ ପୁଣି ଦୟନୀୟ ସ୍ଥିତିରେ ରହିବାକୁ ପଡ଼ିଛି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା ଖାଲି ଯେ, ନିଜର ଅମାନତ ହରାଇଛନ୍ତି ତାହା ନୁହେଁ ପାଞ୍ଚ ଅଙ୍କ ମଧ୍ୟ ଛୁଇଁ ପାରି ନାହାନ୍ତି ।
ଆଜି ସକାଳ ୮ଟାରୁ ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଥିଲା । ପଦ୍ମପୁର ଆରଏମସି ପରିସରରେ ସକାଳୁ ସକାଳୁ ୩ ଦଳର ନେତା ଓ କର୍ମୀଙ୍କ ଭିଡ଼ ଜମିଥିଲା । ୨୧ ରାଉଣ୍ଡ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଥିଲା । ପ୍ରତି ରାଉଣ୍ଡରେ ୧୪ଟି ବୁଥର ଭୋଟ ଗଣତି ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କରାଯାଇଥିଲା ।
ପ୍ରଥମେ ପୋଷ୍ଟାଲ ଭୋଟ ଗଣତି ପରେ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଥିଲା । ଭୋଟ ଗଣତି ଆରମ୍ଭରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ବିପୁଳ ଭୋଟରେ ବିଜୟ ହେବେ ବୋଲି ସଂକେତ ମିଳିଥିଲା । ପ୍ରତି ରାଉଣ୍ଡରେ ରୀତା ୩ରୁ ୫ ହଜାର ପର୍ଯ୍ୟନ୍ତ ଭୋଟରେ ଆଗୁଆ ରହିଥିଲେ । କୌଣସି ଗୋଟିଏ ରାଉଣ୍ଡରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀମାନେ ଟକ୍କର ଦେବା ତ ଦୂରର କଥା ପାଖ ବି ମାଡ଼ି ପାରିନଥିଲେ । ପ୍ରତ୍ୟେକ ରାଉଣ୍ଡରେ ବିପୁଳ ଅଗ୍ରଣୀ ହାସଲ କରିଥିବା ରୀତା ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲେ । ଗତ ନିର୍ବାଚନରେ ନବୀନ ବିଜେପୁରରୁ ପ୍ରାର୍ଥୀ ହୋଇ ୫୭,୧୨୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । ଯେତେବେଳେ କି ସାଧାରଣ ନିର୍ବାଚନରେ ଖଣ୍ଡପଡ଼ାରୁ ସୌମ୍ୟରଞ୍ଜନ ପଟ୍ଟନାୟକ ସର୍ବାଧିକ ୮୧ ହଜାର ୪୩୦ ଖଣ୍ଡ ଭୋଟରେ ବାଜିମାତ କରିଥିଲେ । ତେବେ ୯୭,୯୯୦ ଭୋଟରେ ବାଜିମାତ କରି ରୀତା ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।
ଭୋଟ ଗଣତି ଜାରି ରହିଥିବାବେଳେ ବିଜେଡି ପକ୍ଷରୁ ବିଜୟ ଉତ୍ସବ ଆରମ୍ଭ ହୋଇଯାଇଥିଲା । ବିଜେଡିର କର୍ମୀ ଓ ନେତାମାନେ ବାଣ ଫୁଟାଇ, ବାଜା ବଜାଇ ଭୋଟ ଗଣତି କେନ୍ଦ୍ର ଆଗରେ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନିରେ କମ୍ପାଇ ଦେଇଥିଲେ ।
ବିଜେପୁର ଉପନିର୍ବାଚନ ଭୋଟ ଫଳାଫଳ ରାଜ୍ୟ ରାଜନୀତିକୁ ମଧ୍ୟ ଅନେକ ବାର୍ତ୍ତା ଦେଇଛି । ପଞ୍ଚମ ପାଳି ସରକାରକୁ ଆସିବା ପରେ ନବୀନଙ୍କ ଲୋକପ୍ରିୟତା ବହୁ ବୃଦ୍ଧି ପାଇଥିବା ପ୍ରତିପାଦିତ ହୋଇଛି । ଅପରପକ୍ଷରେ ବିଜେପିର ଲୋକପ୍ରିୟତା ସହ ଭୋଟ ମଧ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସେହିପରି ସାମ୍ପ୍ରତିକ ରାଜନୀତିକ ସ୍ଥିତିରେ କଂଗ୍ରେସ ଆଗେଇବା କଷ୍ଟକର ବୋଲି କହିଲେ ଭୁଲ ହେବନାହିଁ ।