ବିଜେପି ନେତାଙ୍କୁ ଆକ୍ରମଣ
ବିଜେପି ନେତାଙ୍କୁ ଆକ୍ରମଣ
ଭଦ୍ରକ : ଭଦ୍ରକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ଅଭିଯୋଗ ଅନୁଯାୟୀ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠାଙ୍କୁ କିଛି ଯୁବକ ମାରଣାସ୍ତ୍ର ଦେଖାଇ ଭଦ୍ରକ କୋର୍ଟ ପରିସରରୁ ଉଠାଇ ବିଜେପି ଜିଲ୍ଲା କାର୍ଯ୍ୟାଳୟକୁ ନେଇଥିଲେ । ସେଠାରେ ୨୦ରୁ ୩୦ଜଣ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ସହିତ ପଦ ଛାଡ଼ିବାକୁ ଧମକ ଦେଇଥିଲେ । ଦୀର୍ଘ ସମୟ ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଦୁର୍ବୃତ୍ତ ତାଙ୍କ ସମର୍ଥକ ଶଶାଙ୍କ ଶେଖର ଦାସଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଘଟଣା ନେଇ ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବିଜେପିର ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ବିକାଶଙ୍କୁ ଆକ୍ରମଣ ହୋଇ ଥାଇପାରେ ବୋଲି ଆଲୋଚନା ହେଉଛି । ସୂଚନାଯୋଗ୍ୟ, ଗତ ଦୁଇଦିନ ତଳେ ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା କର୍ମକର୍ତ୍ତାଙ୍କ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ବେଳେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣ ଘଟଣା ବିଜେପିର ଦଳୀୟ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।




admin 