ବାଲେଶ୍ୱରରେ କ୍ରାଇମବ୍ରାଞ୍ଚ ଟିମ, ସୌମ୍ୟରଞ୍ଜନଙ୍କ ପରିବାରର ବୟାନ ରେକର୍ଡ
ବାଲେଶ୍ୱରରେ କ୍ରାଇମବ୍ରାଞ୍ଚ ଟିମ, ସୌମ୍ୟରଞ୍ଜନଙ୍କ ପରିବାରର ବୟାନ ରେକର୍ଡ
ଭୁବନେଶ୍ବର : ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଏଯାଏ ଉନ୍ମୋଚନ ହୋଇ ପାରିନି। ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଜାରି ରହିଛି। କ୍ରାଇମବ୍ରାଞ୍ଚ ଟିମ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ଅନ୍ତର୍ଗତ ବେଗୁନିଆସ୍ଥିତ ବାସଭବନକୁ ଯାଇ ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛନ୍ତି। ମୃତ ଏସିଏଫଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ କ’ଣ ପଦକ୍ଷେପ ନେଉଛନ୍ତି ଏବଂ ମୃତ୍ୟୁ ସମ୍ପର୍କରେ କି ସିଦ୍ଧାନ୍ତରେ ପହଞ୍ଚୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବାହ୍ନ ୧୧ଟାରେ କ୍ରାଇମବ୍ରାଞ୍ଚ୍ ଡିଏସପି ଜ୍ଞାନ ମିଶ୍ରଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ପ୍ରଥମେ ଖଇରା ଥାନାରେ ପହଞ୍ଚି ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ସହ ପ୍ରଥମେ ଆଲୋଚନା କରିଥିଲେ । ଏହାପରେ ଏସଆଇ ଶ୍ୟାମସୁନ୍ଦର ବିନ୍ଧାଣୀ, ଏଏସଆଇ ଜୀବନ କୁମାର ମଲ୍ଲିକଙ୍କ ସମେତ ଏହି ୪ଜଣିଆ ଟିମ୍ ଖଇରା ଥାନା ବେଗୁନିଆସ୍ଥିତ ସୌମ୍ୟରଞ୍ଜନଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ଅଧିକାରୀମାନେ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର, ମା’ ତୁଳସୀ ମହାପାତ୍ର, ଭାଇ ରଞ୍ଜନ ମହାପାତ୍ର, ମାମୁ ଶୀତିକଣ୍ଠ ପଣ୍ଡା ଏବଂ ମାଇଁ ଊର୍ମିଳା ପଣ୍ଡାଙ୍କୁ ସାଢେ଼ ୩ଘଣ୍ଟା ଧରି ପଚରାଉଚରା କରିବା ସହ ବୟାନ ରେକର୍ଡ କରିଥିଲେ । ସୌମ୍ୟରଞ୍ଜନଙ୍କ ବାପା କ୍ରାଇମବ୍ରାଞ୍ଚ ଟିମକୁ ସମସ୍ତ ସହଯୋଗ କରିଥିବା କହିଥିବା ବେଳେ ତଦନ୍ତ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେପଟେ ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହିତ ଦୋଷୀଙ୍କୁ ଶୀଘ୍ର ଗିରଫ କରାନଗଲେ ଆଗାମୀ ଦିନରେ ବିଧାନସଭା ଆଗରେ ଧାରଣା ଦେବା ସହିତ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ସୌମ୍ୟରଞ୍ଜନଙ୍କ ଭାଇ ରଞ୍ଜନ ମହାପାତ୍ର ଓ ମା’ ତୁଳସୀ ମହାପାତ୍ର ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ, ଆସନ୍ତାକାଲି ଏହି ଟିମ୍ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଗୌଡ଼ଗାଁସ୍ଥିତ ବିଦ୍ୟାଭାରତୀଙ୍କ ବାପଘରକୁ ଯିବେ । କ୍ରାଇମବ୍ରାଞ୍ଚର କ୍ରାଇମ୍ ଏଗେନଷ୍ଟ ଓମେନ୍(ସିଏଡବ୍ଲୁ) ଶାଖା ବିଦ୍ୟାଭାରତୀଙ୍କୁ ଜେରା କରିବ । ସିଏଡବ୍ଲୁର ଜଣେ ମହିଳା ଡିଏସପିଙ୍କ ନେତୃତ୍ୱରେ ଦୁଇଜଣ ମହିଳା ଅଫିସର ଉପସ୍ଥିତ ରହି ଏସଆଇଟି ଟିମକୁ ସହଯୋଗ କରିବେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।




admin 