ବାତ୍ୟା ଆସୁଛି, ଶନିବାର ସର୍ବାଧିକ ପ୍ରଭାବ
ବାତ୍ୟା ଆସୁଛି, ଶନିବାର ସର୍ବାଧିକ ପ୍ରଭାବ
ଭୁବନେଶ୍ୱର: ଦାନା ବାନ୍ଧୁଛି ବାତ୍ୟା ଜୱାଦ । ସକ୍ରିୟ ରହିଥିବା ଲଘୁଚାପ କ୍ଷେତ୍ର ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବ ବୋଲି ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ୩ ତାରିଖ ଠାରୁ ପବନ ଓ ବର୍ଷାର ବେଗ ବଢିବ ଓ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହେବା ପରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୪ ଘଣ୍ଟାରେ ଏହା ବାତ୍ୟାର ରୂପ ନେବ । ୪ ତାରିଖ ସକାଳେ ବାତ୍ୟା ଜୱାଦ ଆନ୍ଧ୍ର ଓ ଓଡିଶା ଉପକୂଳରେ ପହଞ୍ଚିବ କିନ୍ତୁ କେଉଁଠି ବାତ୍ୟା ଜୱାଦ ସ୍ଥଳଭାଗ ଛୁଇଁବ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ପାଣିପାଗ ବିଭାଗ କହିଛି । ୪ତାରିଖରେ ସାମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ । ୪ତାରିଖ ଅପରାହ୍ନରେ ୯୦କିମି ବେଗରେ ପବନ ବହିବା ସହିତ ସାମ୍ଭାବ୍ୟ ବାତ୍ୟା ଜୱାଦ ତା’ର ତାଣ୍ଡବ ରଚିବ ବୋଲ କୁହାଯାଉଛି ।
ଏହାର ପ୍ରଭାବେରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ସହିତ କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ରାୟଗଡା, କୋରାପୁଟରେ ମଧ୍ୟ ବର୍ଷାର ପରିମାଣ ସର୍ବାଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୫ତାରିଖ ପରଠାରୁ ଉତ୍ତର ଓଡିଶାରେ ଏହାର ପ୍ରଭାବ ବଢ଼ିବ।




admin 