ବହିଷ୍କୃତ କନ୍ଷ୍ଟେବଲ୍ ପ୍ରସନ୍ନଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ବହିଷ୍କୃତ କନ୍ଷ୍ଟେବଲ୍ ପ୍ରସନ୍ନଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ଭୁବନେଶ୍ୱର : ଚାକିରିରୁ ବହିଷ୍କୃତ ଓ ଗିରଫ ହୋଇଥିବା କନ୍ଷ୍ଟେବଲ୍ ପ୍ରସନ୍ନ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ଘର ସମେତ ମୋଟ ୫ଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ୍ ଏକ ସଙ୍ଗେ ଚଢ଼ାଉ କରିଛି।
ପ୍ରସନ୍ନଙ୍କ କଳ୍ପନା ସ୍ଥିତ ବାସଭବନ, ଡୁମ୍ଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁରର ଶାନ୍ତିବିହାର ସ୍ଥିତ ଫର୍ଣ୍ଣିଚର ୱାର୍କଶପ୍, ପାତ୍ରପଡ଼ା ସ୍ଥିତ ସାଉଥ୍ ସିଟି ବାର୍ ଓ ଖୋର୍ଦ୍ଧା ଜିଲ୍ଲା ନୂଆପଡ଼ା ଗାଁରେ ଥିବା ତାଙ୍କର ୨ ମହଲା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଦୁଇ ଜଣ ଡିଏସ୍ପିଙ୍କ ସମେତ ୫ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ହତ୍ୟା ମାମଲାର ତଦନ୍ତ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି କମିଶନରେଟ୍ ପୁଲିସ୍ରେ କନଷ୍ଟେବଲ୍ ଥିବା ପ୍ରସନ୍ନ ବେହେରାଙ୍କ କଳା କାରନାମା ସାମ୍ନାକୁ ଆସିଥିଲା।
ଯେଉଁ ବାର୍କୁ ମନିଷ ତାଙ୍କର କିଛି ସାଙ୍ଗ ମାନଙ୍କ ସହିତ ଯାଇଥିଲେ ଓ ଯେଉଁଠି ଘଟଣାର ସୂତ୍ରପାତ ହୋଇଥିଲା, ସେହି ବାର୍କୁ ବେଆଇନ ଭାବେ ନିଜ ଭାଇ ନାଁରେ ଚଲାଇଥିଲେ ପ୍ରସନ୍ନ ବେହେରା। ସେହି ସାଉଥ୍ ସିଟ୍ ହୋଟେଲ୍ ବାର୍ର ମାଲିକ ହେଉଛନ୍ତି ପ୍ରଦ୍ୟୁମ୍ନ ଜେନା। ତାଙ୍କୁ ବି ଗିରଫ କରାଯାଇଛି। ପ୍ରଦ୍ୟୁମ୍ନ ବାର୍ ଚଲାଇ ନପାରିବାରୁ ପ୍ରସନ୍ନ ଏହାକୁ ନିଜ ଭାଇଙ୍କ ନାଁରେ ଲିଜ୍ରେ ନେଇ ଚଲାଉଥିଲେ।
ଏହି ବାର୍ର ଲାଇସେନ୍ସ ସେପ୍ଟେମ୍ବର ମାସରୁ ଶେଷ ହୋଇଯାଇଥିଲେ ବି ପ୍ରସନ୍ନ ଏହାକୁ ଚଲାଉଥିଲେ, ଯାହା ବେଆଇନ ଥିଲା। ସେହିପରି କୋଭିଡ୍ କଟକଣା ଉଲ୍ଲଂଘନ କରି ସେ ଏହାକୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ଚଲାଉଥିଲେ।




admin 