ବଜାରକୁ ଆସିବ ସର୍ଭାଇକଲ୍‌ କ୍ୟାନ୍ସର୍‌ ବିରୋଧରେ ଭାରତରେ ପ୍ରସ୍ତୁତ ପ୍ରଥମ ଟିକା ସର୍ଭାଭାକ୍‌

ବଜାରକୁ ଆସିବ ସର୍ଭାଇକଲ୍‌ କ୍ୟାନ୍ସର୍‌ ବିରୋଧରେ ଭାରତରେ ପ୍ରସ୍ତୁତ ପ୍ରଥମ ଟିକା ସର୍ଭାଭାକ୍‌

ବଜାରକୁ ଆସିବ ସର୍ଭାଇକଲ୍‌ କ୍ୟାନ୍ସର୍‌ ବିରୋଧରେ ଭାରତରେ ପ୍ରସ୍ତୁତ ପ୍ରଥମ ଟିକା ସର୍ଭାଭାକ୍‌

ନୂଆଦିଲ୍ଲୀ: ଚଳିତ ମାସ ବଜାରକୁ ଆସିବ ସର୍ଭାଇକଲ୍‌ କ୍ୟାନ୍ସର୍‌ ବିରୋଧରେ ଭାରତରେ ପ୍ରସ୍ତୁତ ପ୍ରଥମ ଟିକା ସର୍ଭାଭାକ୍‌ । ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏହି ଟିକା ପ୍ରସ୍ତୁତ କରିଛି । ଦୁଇଟି ଡୋଜ୍‌ଯୁକ୍ତ ପ୍ରତ୍ୟେକ ଶିଶିର ମୂଲ୍ୟ ରହିବ ୨ ହଜାର ଟଙ୍କା । ଏହା ହେଉଛି ସର୍ଭାଇକଲ୍‌ କ୍ୟାନ୍ସର୍‌ ବିରୋଧରେ ପ୍ରଥମ ସ୍ୱଦେଶୀ ହ୍ୟୁମାନ୍‌ ପାପିଲୋମାଭାଇରସ୍‌ (ଏଚ୍‌ପିଭି) ଟିକା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତ ଜାନୁଆରୀ ୨୪ ତାରିଖରେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଆଦାର ପୁନାୱାଲା ଓ ଏହାର ଗଭର୍ନମେଣ୍ଟ ଆଣ୍ଡ ରେଗୁଲେଟୋରି ଆଫେୟାର୍ସର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହଙ୍କ ଉପସ୍ଥିତିରେ ଟିକା ଉନ୍ମୋଚନ କରିଥିଲେ ।

ଘରୋଇ ବଜାର ପାଇଁ ଏଚ୍‌ପିଭି ଟିକାର ମୂଲ୍ୟ ଉପଲବ୍ଧ ଅନ୍ୟ ଏଚ୍‌ପିଭି ଟିକା ଅପେକ୍ଷା ଖୁବ୍‌ କମ୍‌ ବୋଲି ପ୍ରକାଶ କୁମାର ସିଂହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ଟିକା ଚାହୁଁଥିବା ହସ୍‌ପିଟାଲ, ଡାକ୍ତର ଓ ସଂସ୍ଥାଗୁଡ଼ିକୁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଚଳିତ ମାସରୁ ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ସେ ଉଲ୍ଲେଖ କରିଛନ୍ତି।

ଦେଶ ଏବେ ଏଚ୍‌ପିଭି ଟିକା ନିମନ୍ତେ ସମ୍ପୂର୍ଣ୍ଣ ରୂପେ ବିଦେଶୀ ସଂସ୍ଥା ଉପରେ ନିର୍ଭର କରୁଛି । ବର୍ତ୍ତମାନ ଘରୋଇ ବଜାରରେ କେବଳ ଗୋଟିଏ ଏଚ୍‌ପିଭି ଟିକା ଆମେରିକାନ୍‌ ମଲ୍ଟିନ୍ୟାସ୍‌ନାଲ ମର୍କର ‘ଗାର୍ଡାସିଲ୍‌’ ଉପଲବ୍ଧ ହେଉଛି । ଗୋଟିଏ ଡୋଜ୍‌ଯୁକ୍ତ ପୂର୍ବରୁ ସିରିଞ୍ଜ୍‌ରେ ଭର୍ତ୍ତି ଏହି ଟିକାର ମୂଲ୍ୟ ୧୦, ୮୫୦ ଟଙ୍କା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜୁନ୍‌ ମାସରେ ୯ରୁ ୧୪ ବର୍ଷ ବୟସର ଝିଅଙ୍କ ପାଇଁ ଜାତୀୟ ଟିକାକରଣ କାର୍ୟ୍ୟକ୍ରମରେ ସର୍ଭାଇକଲ୍‌ କ୍ୟାନ୍ସର ବିରୋଧରେ ଏଚ୍‌ପିଭି ଟିକା ଆରମ୍ଭ କରିବାକୁ ଯୋଜନା କରିଛି ।