ଫ୍ରାନ୍ସ ଚର୍ଚ୍ଚ ଆକ୍ରମଣ : ବିବାଦୀୟ ବୟାନ ପାଇଁ ମୁନାୱର ରାଣାଙ୍କ ନାମରେ ମାମଲା
ଫ୍ରାନ୍ସ ଚର୍ଚ୍ଚ ଆକ୍ରମଣ : ବିବାଦୀୟ ବୟାନ ପାଇଁ ମୁନାୱର ରାଣାଙ୍କ ନାମରେ ମାମଲା
admin
Nov 2, 2020 - 10:03
Updated: Nov 2, 2020 - 10:03
ଲକ୍ଷ୍ନୌ : ନିକଟରେ ଫ୍ରାନ୍ସରେ ଘଟିଯାଇଥିବା ବର୍ବର କାଣ୍ଡକୁ ନେଇ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି କବି ମୁନାୱାର ରାଣା । ଏହାକୁ ନେଇ ସୋମବାର ମୁନାୱରଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି । ସାମାଜିକ ସନ୍ତୁଳନ ବିଗାଡିବା ପାଇଁ ରାଣା ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରାଯାଇ ଏହି ମାମଲା ଦାୟର କରାଯାଇଛି । ଉତ୍ତରପ୍ରଦେଶର ହଜରତଗଞ୍ଜ ଥାନାରେ ରାଣାଙ୍କ ନାମରେ ଏତଲା ଦିଆଯିବା ପରେ ପୋଲିସ ଆଇପିସିର ଧାରା ୧୫୩ (କ), ୨୯୫ (କ), ୨୯୮ ଏବଂ ୫୦୫ ଆଧାରରେ ମାମଲା ରୁଜୁ କରିଛି । ଏକ ଘରୋଇ ଚ୍ୟାନେଲରେ ନିସ ହତ୍ୟାକାଣ୍ଡକୁ ଯଥାର୍ଥ ବୋଲି ଦର୍ଶାଇ ରାଣା ଯୁକ୍ତି କରିଥିଲେ । ମାମଲା ରୁଜୁ ହେବା ପରେ ଉକ୍ତ ମନ୍ତବ୍ୟ ସାମାଜିକ ସନ୍ତୁଳନ ବିଗାଡିବା ଉଦେ୍ଧଶ୍ୟରେ ନଥିଲା ବୋଲି ରାଣା ସ୍ପଷ୍ଟୀକରଣ ଦେଇଛନ୍ତି ।
ଏହା ସହିତ ଫ୍ରାନ୍ସ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନକୁ ମଧ୍ୟ ନିନ୍ଦା କରିଥିଲେ ରାଣା । ଫ୍ରାନ୍ସରୁ ରାଫେଲ ଯୁଦ୍ଧବିମାନ ଆଣୁଥିବାରୁ ପ୍ରଧାନମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ରାଣା ଅଭିଯୋଗ କରିଥିଲେ । ଦେଶରେ ଅକଲାକ ଖାନ ଏବଂ ପେହଲୁ ଖାନ ଭିଡ ହିଂସାର ଶିକାର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ କୌଣସି ପ୍ରତିକ୍ରିୟା ପ୍ରକାଶ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମଧ୍ୟ କହିଥିଲେ ମୁନାୱର ରାଣା । ଚାର୍ଲି ହେବଡୋରେ ପ୍ରକାଶିତ ମହମ୍ମଦଙ୍କ ଏକ କାର୍ଟୁନକୁ ନେଇ ଜଣେ ଶିକ୍ଷକଙ୍କ ମୁଣ୍ଡ କାଟି ଦିଆଯାଇଥିବା ବେଳେ ଗତ ଗୁରୁବାର ଦିନ ନିସର ନୋଟ୍ରେ ଡାମ ଚର୍ଚ୍ଚ ବାହାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା । ଏହା ଉପରେ ଅନୁଷ୍ଠିତ ଏକ ଟିଭି ବିତର୍କରେ ରାଣା ଏହି ଆକ୍ରମଣ ପ୍ରତି ସମର୍ଥନ ଜାହିର କରିବା ସହିତ ସମାନ ପରସ୍ଥିତିରେ ଥିଲେ ସେ ବି ଏହିପରି ପଦକ୍ଷେପ ନେଇଥାନ୍ତେ ବୋଲି କହିଥିଲେ ।