ପୁଣି ନିୟମ ବଦଳାଇଲେ ସରକାର
ପୁଣି ନିୟମ ବଦଳାଇଲେ ସରକାର
admin
Apr 21, 2020 - 05:35
Updated: Apr 21, 2020 - 05:35
ଭୁବନେଶ୍ୱର: ରାଜ୍ୟରେ ଗତ ଦୁଇ ଦିନ ଭିତରେ ଆଉ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକସେବା ଭବନକୁ ସରକାରୀ କର୍ମଚାରୀଙ୍କ ଅଫିସ ଆସିବା ନେଇ ପୁଣି କଟକଣା କରିଛନ୍ତି ସରକାର । ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ପୂର୍ବ ନିର୍ଦ୍ଦେଶନାମାରେ ପୁଣି ଥରେ ପରିବର୍ତ୍ତନ କରାଯାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧୧ଟି ଅତି ଜରୁରୀ ବିଭାଗରେ ଏଣିକି ଗ୍ରୁପ-ଏ, ବି,ସି ଓ ଡି ବର୍ଗ ମିଶି ମୋଟ ୩୦% ଅଧିକାରୀ ଓ କର୍ମଚାରୀ ରୋଷ୍ଟର ଆଧାରରେ ଅଫିସ ଆସିବେ । କ୍ଷେତ୍ରୀୟ ସ୍ତରରେ ଥିବା ଏହି ବିଭାଗର ସରକାରୀ ଅଫିସ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ । ଏହା ସହିତ ଆଂଶିକ ଜରୁରୀ ବିଭାଗ ଅଧୀନରେ ଆସୁଥିବା ବାକି ସମସ୍ତ ବିଭାଗ ଗୁଡ଼ିକରେ ମୋଟ ୧୦% ଅଧିକାରୀ ଓ କର୍ମଚାରୀ ରୋଷ୍ଟର ମୁତାବକ ଅଫିସ ଆସିବାକୁ ନିର୍ଦ୍ଦେ ଦିଆଯାଇଛି ।
ସୂଚନା ଥାଉ କି, ସୋମବାରଠାରୁ ସବୁ ବିଭାଗରୁ ଗ୍ରୁପ-ଏ ବର୍ଗର ଅଧିକାରୀ ନିୟମିତ ଅଫିସ ଆସିବା ସହ ବାକି ଅନ୍ୟ ବର୍ଗର ଅଧିକାରୀ ଓ କର୍ମଚାରୀମାନେ ରୋଷ୍ଟର ଅନୁଯାୟୀ ଆସିବାକୁ ଗତ ୧୭ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ସୋମବାର ସବୁ ବିଭାଗର କର୍ମଚାରୀମାନେ ଅଫିସ ଆସିବା ପରେ ଗହଳି ହେବା ଯୋଗୁଁ ସାମାଜିକ ଦୂରତ୍ୱ ରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ ସରକାର ପୁଣି ଥରେ ସମୀକ୍ଷା କରି ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।